ମହାପ୍ରଭୁଙ୍କ ସରିଲା ଝୁଲଣ ଯାତ୍ରା

ପୁରୀ ଅଫିସ,୧୪ ।୮: ଶ୍ରାବଣ ଶୁକ୍ଳ ଦଶମୀ ତିଥିରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ଝୁଲଣଯାତ୍ରା ଭାଦ୍ରବ ମାସ କୃଷ୍ଣ ପ୍ରତିପଦା ତିଥି ଶନିବାର ଶେଷ ହୋଇଛି। ପ୍ରତିଦିନ ପରି ଝୁଲଣର ଶେଷ ଦିନରେ ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ମହାପ୍ରଭୁଙ୍କ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଝୁଲଣକୁଞ୍ଜରେ ବିରାଜମାନ କରିଥିଲେ। ମୁକ୍ତିମଣ୍ଡପରେ ନିର୍ମାଣ କରାଯାଇଥିବା ଝୁଲଣ କୁଞ୍ଜରେ ପ୍ରଭୁ ମଦନମୋହନଙ୍କ ରାସ ଅନୁଷ୍ଠିତ ହୋଇଥିଲା। ଏହାକୁ ଶରତ ରାସ ବୋଲି ମଧ୍ୟ କୁହାଯାଏ ଏହି କୁଞ୍ଜରେ କେବଳ ଦେବା ଦେବୀ ନୁହେଁ, ସଖୀ, ପଶୁ, ପକ୍ଷୀ ତଥା ବିଭିନ୍ନ ଗଛଲତା ସହ ସୁବାସିତ ଫୁଲ ଓ ଫଳମୂଳକୁ ମଧ୍ୟ ସ୍ଥାନ ଦିଆଯାଇଥାଏ। ଏହାକୁ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଜମିଥାଏ। ଶ୍ରୀମନ୍ଦିର ସମେତ ପୁରୀର ସମସ୍ତ ମଠ ବାଡିରେ ମଧ୍ୟ ଝୁଲଣ ଯାତ୍ରା ହୋଇଥାଏ। ଗତ ଦୁଇବର୍ଷ କରୋନା ପାଇଁ ଏହି ଯାତ୍ରା ହୋଇ ନ ଥିବାବେଳେ ଚଳିତବର୍ଷ ହୋଇଥିଲେ ମଧ୍ୟ ଭକ୍ତଙ୍କ ସଂଖ୍ୟା କମ୍‌ ରହିଥିଲା। ଶ୍ରୀମନ୍ଦିର ଚାରିପାଖରେ ଥିବା ପ୍ରାୟ ୧୬ରୁ ଅଧିକ ମଠକୁ ଐତିହ୍ୟ କରିଡର ନାମରେ ଉଚ୍ଛେଦ କରାଯାଇଛି। ତେଣୁ କିଛି ହାତ ଗଣତି ମଠରେ ଝୁଲଣ ଯାତ୍ରା ହୋଇଥିଲା। ଝୁଲଣ ଯାତ୍ରାରେ ମୁଖ୍ୟତଃ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, କାରିଗରି ଦେଖିବାକୁ ମିଳୁଥିଲା। ଯାହା ଏବେ ବିଲୁପ୍ତ ପ୍ରାୟ ହୋଇପଡିଛି। ନିଜସ୍ବ କଳା ସଂସ୍କୃତି ଆଉ ଦେଖାଯାଉନାହିଁ।
ଏ ନେଇ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର ମିଶ୍ରଙ୍କ କହିବା ଅନୁଯାୟୀ, ଝୁଲଣର ଯେଉଁ ରହସ୍ୟ ରହିଥିଲା ତାହା ଏବେ ଆଉ ଲୋକଙ୍କ ପାଖରେ ନାହିଁ। ଝୁଲଣରେ କେବଳ ଦେବାଦେବୀଙ୍କୁ ଝୁଲାଯାଏ ତାହା ନୁହେଁ। ଝୁଲଣ ଉପାସନା ଭିତରେ ସେବା ଓ ତ୍ୟାଗ ମନୋବୃତ୍ତିର ରହିଥାଏ। ପ୍ରଭୁଙ୍କ ନିକଟତର ହେବା ପାଇଁ ଝୁଲଣ ଏକ ମାଧ୍ୟମ। ତେବେ ବର୍ତ୍ତମାନ ଝୁଲଣର ଆଧ୍ୟାମତ୍କତା ହ୍ରାସ ଘଟିଛି। ଖାଲି ପରମ୍ପରାକୁ ବଜାଇ ରଖିବା ପାଇଁ ଝୁଲଣ ଯାତ୍ରା ଅନୁଷ୍ଠିତ ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଫଳରେ ଏବେ ଝୁଲଣର ଆର୍କଷଣ ପୁରୀ ବାସୀ ତଥା ଆଖପାଖ ଲୋକଙ୍କ ପାଇଁ ରହୁନାହିଁ। ପୂର୍ବରୁ କଥାରେ ଥିଲା ବଳଙ୍ଗା ମେଳଣ ଏବଂ ଶ୍ରୀକ୍ଷେତ୍ର ଝୁଲଣ। ଶ୍ରୀମନ୍ଦିର ଚାରିପାଖରେ ଥିବା ମଠଗୁଡିକରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଆବଶ୍ୟକ। ଯେଉଁ ମଠ ଭାଙ୍ଗିଛି ସେମାନଙ୍କ ମଠରେ ଝୁଲଣ କରିବା ସହ ମଠର ପରିସୀମା ମଧ୍ୟରେ ସରକାର ସହଯୋଗ କରନ୍ତୁ। ଫଳରେ ଶ୍ରୀକ୍ଷେତ୍ର ଝୁଲଣ ତା’ର ପୂର୍ବ ଚମକ ଫେରିପାଇବ। ସେହିପରି ଝୁଲଣରେ କଳାକାରମାନେ ସାଜସଜ୍ଜା କରି ତାଙ୍କ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ସହ ରୋଜଗାର କରୁଥିଲେ। ସେମାନେ ଏବେ ତାଙ୍କ କଳା ହରାଇବାକୁ ବସିଛନ୍ତି। ତେଣୁ ଝୁଲଣର ଚମକ ଫେରିଲେ ପୁରୀର ବିଭିନ୍ନ କାରିଗରମାନେ ସେମାନଙ୍କ କଳାକୁ ଲୋକଲୋଚନକୁ ଆସିପାରିବ। କଳା ସଂସ୍କୃତି ବଞ୍ଚତ୍ ରହିବ।