ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୨ା୩(ଅସମାପିକା ସାହୁ): ଲିଙ୍ଗରାଜ ମହାପ୍ରଭୁଙ୍କ ଚଳିତ ବର୍ଷ ପ୍ରସିଦ୍ଧ ମହାଶିବରାତ୍ରି ଅବସରରେ ଖୋର୍ଦ୍ଧା ଜିଲାପାଳ ଚଞ୍ଚଳ ରଣାଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ କମିଟି ବୈଠକ ସର୍କିଟ ହାଉସ୍‌ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସେବାୟତ, ମନ୍ଦିର ପ୍ରଶାସନ, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଏବଂ ପ୍ରଶାସନିକ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଚଳିତବର୍ଷର ଜାଗର ଯାତ୍ରାକୁ ମହାଆଡ଼ମ୍ବରରେ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ଜିଲାପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସେହିଭଳି ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ଯୋଗଦେଇ ପୂର୍ବବର୍ଷ ଭଳି ଚଳିତ ବର୍ଷ ବିଏମ୍‌ସି ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ବୈଠକ ପ୍ରାରମ୍ଭରେ ଜାଗର ନୀତି ନିର୍ଘଣ୍ଟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ଆସନ୍ତା ମାର୍ଚ୍ଚ ୮ ତାରିଖ ଭୋର୍‌ ୩ ଘଟିକା ସମୟରେ ମନ୍ଦିର ଖୋଲାଯାଇ ରାତି ୧୦ଟାରେ ମହାଦୀପ ଉଠିବା ନେଇ ପୂର୍ବରୁ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି। ଏଥିରେ ଶ୍ରୀଜିଉଙ୍କ ସମସ୍ତ ପାଳିଆ ଓ ସେବାୟତ ମନ୍ଦିରରେ ଉପସ୍ଥିତ ରହି ସହଯୋଗ କରିବାକୁ ବୈଠକରେ ପ୍ରସ୍ତାବ ଗ୍ରହଣ
କରାଯାଇଥିଲା। ଏଥି ସହ ଉକ୍ତ ବୈଠକରେ ବିଭିନ୍ନ ଆନୁଷଙ୍ଗିକ ଦାୟିତ୍ୱ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଛି।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଅତିରିକ୍ତ ଜିଲାପାଳ ରୁଦ୍ରନାରାୟଣ ମହାନ୍ତି, ବିଏମ୍‌ସିର ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ, ଉପଜିଲାପାଳ ଚିନ୍ମୟ ଆଚାର୍ଯ୍ୟ, ବିଭିନ୍ନ ନିଯୋଗର କର୍ମକର୍ତ୍ତା ଏବଂ ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।