ମହାପ୍ରଭୁଙ୍କୁ ଲାଗି ହେଲା ଯେଉଡ଼ ଭୋଗ

ପୁରୀ ଅଫିସ,୧୧।୮: ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ମଙ୍ଗଳବାର ହେଉଛି ପବିତ୍ର ଜନ୍ମାଷ୍ଟମୀ। ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସୋମବାର ସନ୍ଧ୍ୟା ଆଳତି ବେଶରେ ଠାକୁରଙ୍କୁ ୬ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା। ସନ୍ଧ୍ୟା ଆଳତି ପରେ ଭିତରେ ପାଣିପଡ଼ିି ଟେରା ବନ୍ଧା ହୋଇ ରୋଷରେ ସନ୍ଧ୍ୟାଧୂପ ଛେକ ଛାମୁକୁ ଆସିଥିଲା। ସନ୍ଧ୍ୟାଧୂପ ପୂଜା ପରେ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥିଲା। ଟେରା ବନ୍ଧା ହେବା ପରେ ଯେଉଡ ଭୋଗ (ଶାଗ, ତରକାରି, ପିଠା, ଝିଲି, ଓରିଆ, ଖିରି ଆଦି) ରୋଷରୁ ଆସି ଅଣସର ପିଣ୍ଡିରେ ରଖାଯାଇଥିଲା। ମୁଦିରସ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥିଲେ। ୩ ଜଣ ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ପୂଜା କରିଥିଲେ। ଧୋପଖାଳ ହେଲା ପରେ ପଣ୍ଡା, ପତି ଓ ମୁଦିରସ୍ତ ୩ ବାଡ଼ରେ ବନ୍ଦାପନା କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ଅଧିକ ବନ୍ଦାପନା ହୋଇଥିଲା। ଏହି ବନ୍ଦାପନାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ। ଏହାପରେ ଅନ୍ୟାନ୍ୟ ନୀତି ବଢିଥିଲା। ଯେଉଡ ଭୋଗ ଏବଂ ଗର୍ଭଉଦକ ବନ୍ଦାପନା ସମ୍ପର୍କରେ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ଗର୍ଭବତୀ ନାରୀମାନେ ସୁଖ ପ୍ରସବ ଲାଗି ଯେଉଡ଼ ଫଳ ଖାଇଥାନ୍ତି। ଜନ୍ମାଷ୍ଟମୀ ପୂର୍ବଦିନ ଶ୍ରୀଜଗନ୍ନାଥ ଦେବକୀ ରୂପ ଧାରଣ କରି ଯେଉଡ଼ ଭୋଗ ଖାଇଥାନ୍ତି। ତାଙ୍କ ଗର୍ଭରେ ଶ୍ରୀକୃଷ୍ଣ ରହିଥିବାରୁ ତାଙ୍କୁ ଗୋଟିଏ ଅଧିକ ବନ୍ଦାପନା କରାଯାଏ। ଲୀଳାମୟ ଠାକୁରଙ୍କ ଏହା ଏକ ଅଲୌକିକ ଲୀଳା। ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ। ତେଣୁ ତାଙ୍କଠାରୁ ଶ୍ରୀକୃଷ୍ଣ ସୃଷ୍ଟି ହୋଇଥିଲେ।