ମହମ୍ମଦ ମୋକିମଙ୍କୁ ବଡ଼ ଆଶ୍ୱସ୍ତି: ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ

କଟକ,୧୮ା୩(କାର୍ତ୍ତିକ ସାହୁ): କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ସୋମବାର ବଡ଼ ଆଶ୍ୱସ୍ତି ମିଳିଛି। ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୦୧୯ ନିର୍ବାଚନରେ ମହମ୍ମଦ ମୋକିମଙ୍କ ବିଜୟକୁ ଓଡ଼ିଶା ହାଇକୋର୍ଟ ଅସିଦ୍ଧି ଘୋଷଣା କରିବା ପରେ ମୋକିମ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ସୁପ୍ରିମକୋର୍ଟ ଏହି ରାୟ ଉପରେ ରହିତାଦେଶ ଲଗାଇଛନ୍ତି। ଓଡ଼ିଶା ହାଇକୋର୍ଟ ମାର୍ଚ୍ଚ ୪ରେ ଦେଇଥିବା ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରି ରାୟ ଉପରେ ରହିତାଦେଶ ଲଗାଇବା ପାଇଁ ସେ ଆବେଦନରେ ପ୍ରାର୍ଥନା କରିଥିଲେ।
ସୂଚନାଯୋଗ୍ୟ, ମୋକିମ ୨୦୧୯ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସମୟରେ ତାଙ୍କର ଶପିଂ ତାଲିକା ଓ ଆପରାଧିକ ତଥ୍ୟ ଠିକ ଭାବେ ଦେଇ ନ ଥିବା ନେଇ ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା। ହାଇକୋର୍ଟର ବିଚାରପତି ସଙ୍ଗମ କୁମାର ସାହୁ ଉକ୍ତ ମାମଲାର ବିଚାର କରି ୬୬୨ ପୃଷ୍ଠା ସମ୍ବଳିତ ରାୟ ଶୁଣାଇଥିଲେ। ୨୦୧୯ ବିଧାନସଭା ନିର୍ବାଚନକୁ ଅଦାଲତ ଅସିଦ୍ଧି ଘୋଷଣା କରିବା ସହ ମୋକିମଙ୍କୁ ପୂର୍ବତନ ବିଧାୟକ କୁହାଯାଇପାରିବ ନାହିଁ ବୋଲି ତାଙ୍କ ରାୟରେ ସ୍ପଷ୍ଟ କରିଥିଲେ।