ଜିଲାର ସମସ୍ୟା ନେଇ ୧୯ରେ ମହାମେଳି

କେନ୍ଦୁଝର,୧୭ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଖଣିଜ ସମ୍ପଦ ଭରି ରହିଥିଲେ ହେଁ ସମସ୍ୟା କମ ନାହିଁ। ମାଟି ତଳେ ଅପାର ସମ୍ପଦ କିନ୍ତୁ ଉପରେ ଗରିବ ମଣିଷ ବଞ୍ଚତ୍ବା ପାଇଁ ସଂଘର୍ଷ କରୁଛି। ଅନେକ ଗରିବ ଲୋକଙ୍କୁ ମୌଳିକ ସୁବିଧା ଓ ଦୁଇ ଓଳି ପେଟ ପୁରା ଖାଦ୍ୟ ମଳୁନି। ଏଣୁ ଜିଲାବାସୀଙ୍କ ହକ ପାଇଁ ଆସନ୍ତା ୧୯ ତାରିଖରେ ସ୍ଥାନୀୟ ଧରଣୀଧର ମେଡ଼ିକାଲ କଲେଜରେ ମହାମେଳି କରାଯିବ ବୋଲି ଯୁବ ଓ ଶ୍ରମ ବିକାଶ ମଞ୍ଚ ସମେତ କେତେକ ସଂଗଠନ ସୂଚନା ଦେଇଛନ୍ତି। ଏଥିସହ ୧୪ ଦଫା ଦାବି ସମ୍ବଳିତ ଦାବିପତ୍ର ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତି, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫-ଟି ଅଧ୍ୟକ୍ଷ, ଖଣି ଓ ଶିଳ୍ପ ସଚିବଙ୍କୁ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି।

ମଞ୍ଚର ସଭାପତି ରଞ୍ଜନ ବେହେରାଙ୍କ ସୂଚନା ଅନୁଯାୟୀ, ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ, ମେଡିକାଲ କଲେଜରୁ କେମ୍ପସଡ଼ା-ସେଣ୍ଡକାପ ଦେଇ ରାଇକଳା ଢିପାସାହି ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଦ୍ୱାରା ଓସାରିଆ ରାସ୍ତା ନିର୍ମାଣ, ଅନୁରୂପ ଭାବେ ରେଳ ଲାଇନ କଡେ କଡେ ମେଡିକାଲ କଲେଜରୁ ରେଳ ଷ୍ଟେଶନ ପର୍ଯ୍ୟନ୍ତ ୨କି.ମି. ରାସ୍ତା ନିର୍ମାଣ, ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଯୋଗ୍ୟତା ଭିତିରେ ଜିଲାର ବ୍ୟକ୍ତିଙ୍କୁ ନିଯୁକ୍ତି, ଜିଲାର ଖଣି ଖାଦାନ ଓ ଶିଳ୍ପ କଳକାରଖାନାରେ ସ୍ଥାନୀୟ ଯୁବ ଗୋଷ୍ଠୀଙ୍କୁ ନିଯୁକ୍ତି, ୧୬ ରୁ ୨୨ ଚକିଆ ଟ୍ରକ୍‌, ଟ୍ରେଲର ଓ ଭାରୀଯାନ ସମେତ ରେଳ ଓ ପାଇପ ଲାଇନ୍‌ରେ ଜିଲାରୁ ଲୁହାପଥର ପରିବହନ ବନ୍ଦ ଆଦି ଦାବିରେ ଧରଣୀ ଭୁଆଁଙ୍କ ଭଳି ଆମ ଧରଣୀଧର ମେଳି ବାନ୍ଧିବାକୁ ଡାକରା ଦିଆଯାଇଛି ବୋଲି କହିଛନ୍ତି। ମହାମେଳିରେ ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡ଼, ମା’ ତାରିଣୀ ଜନସେବା ଟ୍ରଷ୍ଟ, ଶ୍ରୀରାମ ସେନା ପରି ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ଜିଲାର ଜନସାଧାରଣ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି। ଦଳ ଗତ ନିର୍ବିଶେଷରେ ସମସ୍ତେ ଭାଗ ନେଇ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବାକୁ ନିବେଦନ କରାଯାଇଛି।