ନନ୍ଦିଘୋଷ ରଥ ଭାଙ୍ଗିଲେ ମହାଲକ୍ଷ୍ମୀ

ପୁରୀ ଅଫିସ, ୬ା୭: ଘୋଷଯାତ୍ରାର ଏକ ଅନନ୍ୟ ନୀତି ହେଉଛି ହେରାପଞ୍ଚମୀ। ମଙ୍ଗଳବାର ଶ୍ରୀଗୁଣ୍ଡିଚା ମନ୍ଦିରରେ ହେରା ପଞ୍ଚମୀ ନୀତି ସମ୍ପନ୍ନ ହୋଇଛି। ଏଥିଲାଗି ଶ୍ରୀମନ୍ଦିର ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହୋଇଥିବାବେଳେ ଅଭିମାନିନୀ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ଉପରେ ରୋଷକରି ତାଙ୍କ ନନ୍ଦିଘୋଷ ରଥ ଭାଙ୍ଗିଛନ୍ତି। ଦାରୁଦିଅଁଙ୍କ ଦର୍ଶନ ପାଇଁ ଆଡ଼ପମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା।
ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ସନ୍ଧ୍ୟା ଆଳତି ପରେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କ ମାଜଣା ନୀତି ଅନୁଷ୍ଠିତ ହୋଇଥିଲା। ପରେ ମହାଲକ୍ଷ୍ମୀ ବିମଳା ମନ୍ଦିରକୁ ବିଜେ କରିଥିଲେ। ମା’ ବିମଳାଙ୍କଠାରୁ ଅନୁମତି ନେଇ ସେ ମହାପ୍ରଭୁଙ୍କୁ ଫେରାଇ ଆଣିବା ପାଇଁ ପାଲିଙ୍କିରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ନନ୍ଦିଘୋଷ ରଥ ନିକଟରେ ଲକ୍ଷ୍ମୀ ଠାକୁରାଣୀ ପହଞ୍ଚତ୍ବା ପରେ ପତିମହାପାତ୍ର ବନ୍ଦାପନା, ଚାମର ଆଇଟ, ଘଷାବିଡ଼ିଆ ଓ ଦହିପଟି ମଣୋହୀ କରିଥିଲେ। ପରେ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିର ଜଗମୋହନକୁ ବିଜେ କରି ଜୟବିଜୟ ଦ୍ୱାର ନିକଟକୁ ଯାଇଥିଲେ। ପତିମହାପାତ୍ର ସେବକ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ତାଙ୍କୁ ପ୍ରଦାନ କରିଥିଲେ। ଜୟବିଜୟ ଦ୍ୱାରର ଗୋଟିଏ ଦ୍ୱାର ବନ୍ଦ କରାଯିବା ସହ ଟେରା ପଡ଼ିଥିଲା। ମହାଲକ୍ଷ୍ମୀଙ୍କ ସହ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରି ନ ଥିଲେ। ଏହାପରେ ମହାଲକ୍ଷ୍ମୀ ଅଭିମାନ କରି ଶ୍ରୀମନ୍ଦିରକୁ ବାହୁଡ଼ିବାବେଳେ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରପାଖରେ ଭିତରଛ ସେବକ ତାଙ୍କୁ ବନ୍ଦାପନା ଓ ଦହିପଟି ମଣୋହି କରିଥିଲେ। ପରେ ସେ ନନ୍ଦିଘୋଷ ରଥ ନିକଟକୁ ଯାଇ ରଥର କିଛି ଅଂଶ ଭାଙ୍ଗିଥିଲେ। ଏହାପରେ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ବାହୁଡ଼ି ଆସିଥିଲେ। ଏହି ସମୟରେ ମହାଲକ୍ଷ୍ମୀଙ୍କୁ ବିଭିନ୍ନ ସ୍ଥାନରେ ପନ୍ତି ଭୋଗ ମଣୋହୀ କରାଯାଇଥିଲା।