ମହାଦେବ ବେଟିଂ ଆପ୍‌ ମାମଲା: ସିବିଆଇର ବଡ଼ ଚଢ଼ାଉ, ବହୁ ଦସ୍ତାବିଜ୍‌ ଜବତ

ନୂଆଦିଲ୍ଲୀ,୧୪ା୧୧: ମହାଦେବ ଅନ୍‌ଲାଇନ୍‌ ବେଟିଂ ଆପ୍‌ ମାମଲାର ତଦନ୍ତ ଚଳାଇଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର ୬ ରାଜ୍ୟର ୩୩ଟି ସ୍ଥାନରେ ଚଢ଼ାଉ କରିଛି। ତଲାସି ବେଳେ ଡିଜିଟାଲ ଉପକରଣ, ମୋବାଇଲ୍‌ ଫୋନ୍‌ ଓ ବହୁ ଦସ୍ତାବିଜ୍‌ ଜବତ ହୋଇଛି ଯାହା ମୁଲ୍‌ ବ୍ୟାଙ୍କ ଆକାଉଣ୍ଟ ଏବଂ ହାଓ୍ବଲା ଚ୍ୟାନେଲ ବ୍ୟବହାର ହୋଇଥିବାର ସୂଚନା ଦେଉଛି ବୋଲି ଅଧିକାରୀମାନେ ଶନିବାର କହିଛନ୍ତି।

ମହାଦେବ ବେଟିଂ ଆପ୍‌ର ଅନ୍ୟତମ ମୁଖ୍ୟ ପ୍ରମୋଟର ସୌରଭ ଚନ୍ଦ୍ରାକର ଓମାନ୍‌ରୁ ପ୍ରତ୍ୟର୍ପଣରେ ଆସିବା ପରେ ଗତ ୧ ତାରିଖରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ତାଙ୍କ ସୂଚନା ଆଧାରରେ କିଛିଦିନ ହେଲା ଚଢ଼ାଉ ଜାରି ରହିଥିଲା।

ଦିଲ୍ଲୀ, ମୁମ୍ବାଇ, ନାଗପୁର, ଅମୃତସର, ଭୋପାଳ ଓ ରାୟପୁର ସମେତ ବେଟିଂ ଆପ୍‌ ଅପରେଟର ଜଡ଼ିତ ଥିବା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା ବୋଲି ସିବିଆଇ ଅଧିକାରୀମାନେ କହିଛନ୍ତି। କେତେକ ସ୍ଥାନରେ ବାଜି ଲଗାଇବା ଓ ଜୁଆ ପ୍ୟାନେଲ ଚାଲୁଥିବା ଦେଖିବାକୁ ମିଳିଥିଲା ବୋଲି ସିବିଆଇ ମୁଖପାତ୍ର କହିଛନ୍ତି।

ରାୟପୁରର ଏକ ସ୍ବତନ୍ତ୍ର କୋର୍ଟ ଚନ୍ଦ୍ରାକରଙ୍କୁ ଜେରା ପାଇଁ ୮ ଦିନିଆ ସିବିଆଇ ରିମାଣ୍ଡରେ ପଠାଇଥିଲେ। ଜେରା ଶେଷ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Share