ରାତି ୨ଟାରେ ଉଠିବ ମହାଦୀପ

ଆଠଗଡ, ୪ା୨(ସ୍ବ.ପ୍ର) : ଆଠଗଡ଼ ବ୍ଲକ ଅନ୍ତର୍ଗତ ମଞ୍ଚେଶ୍ୱର ଗ୍ରାମ ମହାନଦୀ ଗର୍ଭସ୍ଥ ପ୍ରସିଦ୍ଧ ଶୈବପୀଠ ଶ୍ରୀଧବଳେଶ୍ୱରଙ୍କ ଜାଗରଯାତ୍ରା ପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜାଗରଯାତ୍ରା ସୁପରିଚାଳନା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ୧୮ ତାରିଖ ଶନିବାର ରାତି ୨ଟାରେ ଶ୍ରୀଜୀଉଙ୍କ ମହାଦୀପ ଉଠିବ ବୋଲି ପୂଜକ ସମାଜ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତାରେ ଭକ୍ତମାନେ ଯିବାଆସିବା କରିବେ। ଅସ୍ଥାୟୀ ରାସ୍ତାରେ ଆବଶକୀୟ ମରାମତି, ବ୍ୟାରିକେଡ଼ ନିର୍ମାଣ, ଆଲୋକୀକରଣ, ସିସି କ୍ୟାମେରା ଲାଗିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅସ୍ଥାୟୀ ରାସ୍ତା ଦେଇ ଯାନବାହାନ ଚଳାଚଳ ନିଷେଧ କରାଯାଇଛି। ବୃଦ୍ଧ, ଦିବ୍ୟାଙ୍ଗଙ୍କ ପାଇଁ ସତନ୍ତ୍ର ବ୍ୟବସ୍ଥା କରାଯିବ। ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୭ଜଣ ଡିଏସ୍‌ପିଙ୍କ ସମେତ ୧୦୦ଜଣ ପୋଲିସ ଅଫିସର ଓ ୧୫ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଉକ୍ତ ବୈଠକରେ ଉପଜିଲାପାଳ ହେମନ୍ତ କୁମାର ସ୍ବାଇଁ, ତହସିଲଦାର ପ୍ରିୟବ୍ରତ ଦାସ, ବିଡିଓ ପ୍ରଦୀପ କୁମାର ସାହୁ, ଆଠଗଡ ଏନଏସି ନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା, କଟକ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ବରିଷ୍ଠ ଅଧିକାରୀ ରଞ୍ଜିତ କୁମାର ପୃଷ୍ଟି, ଚୌଦ୍ୱାର ଆରକ୍ଷୀ ଉପାଧ୍ୟକ୍ଷ ସତ୍ୟବ୍ରତ ଲେଙ୍କା, ଗୁରୁଡିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ, ଜିଲା ପରିଷଦ ସଦସ୍ୟ ବଳଭଦ୍ର ବାଘ, ସ୍ଥାନୀୟ ସରପଞ୍ଚ ପ୍ରିୟବ୍ରତ ସାହୁ, ପୂଜକସମାଜ ସଭାପତି ବିଷ୍ଣୁଚରଣ ପତ୍ରୀ, ସମ୍ପାଦକ ନରେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ସହକାରୀ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାସ ପରିଚାଳନା କରିଥିଲେ। ଆଠଗଡ଼ ଦେବୋତ୍ତର ବିଭାଗ ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।