ମହାଗୌରୀ ବେଶରେ ଦର୍ଶନ ଦେଲେ ମା’ ବନଦୁର୍ଗା

ନିରାକାରପୁର,୧୩।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ରାମେଶ୍ବର ପଞ୍ଚାୟତସ୍ଥିତ ମା’ ବନଦୁର୍ଗାଙ୍କ ପୀଠରେ ବିଶ୍ୱ କଲ୍ୟାଣ ନିମନ୍ତେ ଶାରଦୀୟ ଷୋଡ଼ଶ ଦିନାତ୍ମକ ଦୁର୍ଗା ପୂଜାର ଶୁକ୍ରବାର ଅଷ୍ଟମ ଦିନରେ ମା’ ମହାଗୌରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ସକାଳୁ ମା’ଙ୍କ ମଙ୍ଗଳ ଆଳତି, କଳଶ ପୂଜା, ସୂର୍ଯ୍ୟ ପୂଜା, ପଞ୍ଚ ଦେବତା ପୂଜା, ଶୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ସପ୍ତଶତୀ ଚଣ୍ଡୀ ପାଠ, ସନ୍ଧ୍ୟାରେ ବାଳଭୋଗ, ଆଳତି, ଆଧରପଣା ଓ ମହାପ୍ରସାଦ ମା’ଙ୍କୁ ଅର୍ପଣ ପୂର୍ବକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଡ. କୃପାସିନ୍ଧୁ ପଣ୍ଡା ଓ ପଣ୍ଡିତ ତପନ କୁମାର ମହାପାତ୍ର ପୂଜାର୍ଚ୍ଚନା କରିଥିଲେ। ଗ୍ରାମର ବିଷ୍ଣୁପ୍ରିୟା ପଟ୍ଟଯୋଷୀଙ୍କ ସମେତ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ମା’ଙ୍କ ଦିବ୍ୟ ବେଶ ଦର୍ଶନ କରିଥିଲେ।