ମହାଷ୍ଟମୀରେ ଉତ୍ସବମୁଖର ରତ୍ନଗିରି: ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ତାରାତାରିଣୀ

ପୁରୁଷୋତ୍ତମପୁର, ୧୮।୧୦(ସବିତା ମିଶ୍ର): ପବିତ୍ର ମହାଷ୍ଟମୀ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ପୀଠ ମା’ ତାରାତାରିଣୀଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ଜାରି ରହିଛି। ପଣ୍ଡିତମାନଙ୍କ ବେଦମନ୍ତ୍ରାର୍ଚ୍ଚନାରେ ସମଗ୍ର ରତ୍ନଗିରି ପାହାଡ଼ ପ୍ରକମ୍ପିତ ହୋଇଉଠିଛି। ଭୋରୁ ମା’ଙ୍କୁ ବିଭିନ୍ନ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ, ସେବାୟତମାନେ ମା’ଙ୍କୁ ମହାଗୌରୀ ବେଶରେ ସଜ୍ଜିତ କରିଥିଲେ। ଦୁଇ ଭଉଣୀ ମା’ ତାରା ଓ ତାରିଣୀଙ୍କ ଏହି ଦୁର୍ଲଭ ମହାଗୌରୀ ବେଶ ଦର୍ଶନ କରିବା ପାଇଁ ମନ୍ଦିରରେ ଶହ ଶହ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି। ଭକ୍ତମାନେ ଅଖଣ୍ଡ ଦୀପ ଜାଳି ମା’ଙ୍କୁ ପୂଜାର୍ଚ୍ଚନା କରିବା ସହିତ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରୁଛନ୍ତି।

ଆଜି ରାତିରେ ମା’ଙ୍କୁ ମହାକାଳୀ ବେଶରେ ସଜ୍ଜିତ କରାଯିବ। ମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ରାତି ପ୍ରାୟ ୧୧:୩୦ ମିନିଟ୍ ସମୟରେ ମହାଦୀପ ଚଢ଼ିବାର କାର୍ଯ୍ୟକ୍ରମ ରହିଛି। ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ, ମୁଖ୍ୟ ପୁରୋହିତ ପଣ୍ଡିତ ସିମାଞ୍ଚଳ ଦାଶ ଶର୍ମା ପୂଜାର୍ଚ୍ଚନା ଓ ଚଣ୍ଡିପାଠ କରୁଥିବାବେଳେ ସେବାୟତମାନେ ସମସ୍ତ କାର୍ଯ୍ୟରେ ସହଯୋଗ କରୁଛନ୍ତି।

Dharitri – Odisha’s No.1 Odia Daily

Share