ମାଫିଆ କୁଇନ୍‌ ଆଲିୟା

ନୂଆଦିଲ୍ଲୀ, ୨୫ା୨: ନିର୍ଦ୍ଦେଶକ ସଞ୍ଜୟଲୀଲା ଭଁସାଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଙ୍ଗୁବାଈ କାଠିଆଓ୍ବାଡି’ର ଟ୍ରେଲର ରିଲିଜ ହୋଇଛି। ଫିଲ୍ମଟି କେତେ ଦମ୍‌ଦାର ହୋଇଥିବା ତାହାର ଝଲକ ଟିଜରରେ ଦେଖିବାକୁ ମିଳିଛି। ଆଲିୟା ଭଟ୍ଟ ସମ୍ପୂର୍ଣ୍ଣ ଅଲଗା ଅବତାରରେ ଏଥିରେ ନଜର ଆସିଛନ୍ତି। ‘ମୁମ୍ବାଇର ମାଫିଆ କୁଇନ’ ଭାବେ ଜଣା ଗଙ୍ଗୁବାଈଙ୍କ ଭୂମିକାରେ ଆଲିୟା ଅଭିନୟ କରିଛନ୍ତି। ଗଙ୍ଗା ହରଜୀବନଦାସ ଜଣେ ଅଭିନେତ୍ରୀ ହେବାକୁ ଇଚ୍ଛା କରିଥିଲେ। କିନ୍ତୁ ତାଙ୍କ ପିତାଙ୍କର ଆକାଉଣ୍ଟାଣ୍ଟଙ୍କ ସହ ପ୍ରେମ ହେବା ପରେ ଉଭୟେ ବିବାହ କରିଥିଲେ। ବାହାଘର ପରେ ସ୍ବାମୀଙ୍କ ସହ ଗଙ୍ଗା ମୁମ୍ବାଇ ଆସିଥିଲେ। ସେଠାରେ ତାଙ୍କର ଜୀବନର କଷ୍ଟକର ସମୟ ଆରମ୍ଭ ହୋଇଥିଲା। ପରେ ଗଙ୍ଗାଙ୍କୁ ତାଙ୍କ ସ୍ବାମୀ ବେଶ୍ୟାଳୟରେ ବିକ୍ରି କରିଦେଇଥିଲେ। ସେଠାକୁ ଆସୁଥିବା ମୁମ୍ବାଇର କୁଖ୍ୟାତ ଅପରାଧୀ ଓ ମାଫିଆଙ୍କୁ ଭେଟିବା ପରେ ସେ କିପରି ଗଙ୍ଗୁବାଈରେ ପରିଣତ ହେଲେ ଏବଂ ମାଫିଆ କୁଇନ୍‌ ପାଲଟିଲେ ତାହାକୁ ନେଇ କାହାଣୀ ଗତିଶୀଳ ହୋଇଛି। ଆସନ୍ତା ଜୁଲାଇ ୩୦ରେ ଏହି ଫିଲ୍ମ ମୁକ୍ତିଲାଭ କରିବ।

 

Share