Categories: ଜାତୀୟ

ଅଫଜଲ ଆନସାରୀଙ୍କ ଲୋକ ସଭା ସଦସ୍ୟତା ରଦ୍ଦ

ନୂଆଦିଲ୍ଲୀ,୧।୫: ମାଫିଆ ମୁଖତାର ଆନସାରୀଙ୍କ ବଡ ଭାଇ ତଥା ବିଏସ୍‌ପି ଏମ୍‌ପି ଅଫଜଲ ଆନସାରୀଙ୍କ ଲୋକ ସଭା ସଦସ୍ୟତା ରଦ୍ଦ କରି ଦିଆଯାଇଛି। ସୋମବାର ଲୋକ ସଭା ସଚିବାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି। ଅଫଜଲ ଆନସାରୀ ୬ ଥର ବିଧାୟକ ଏବଂ ଦୁଇଥର ଏମ୍‌ପି ଭାବରେ ନିର୍ବାଚିତ ହୋଇଛନ୍ତି। ଗାଙ୍ଗଷ୍ଟର ଆକ୍ଟ ମାମଲାରେ ଗାଜିପୁର ଏମ୍‌ପି-ବିଧାୟକ କୋର୍ଟଙ୍କ ଦ୍ୱାରା ଆଫଜଲଙ୍କୁ ଚାରି ବର୍ଷ ଜେଲଦଣ୍ଡ ଦିଆଯାଇଥିଲା।

ଜନପ୍ରତିନିଧିତ୍ୱ ଅଧିନିୟମ କହିବା ଅନୁଯାୟୀ, ଅପରାଧିକ ମାମଲାରେ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ଅଯୋଗ୍ୟ କରାଯିବ ଏବଂ ଜେଲରେ ରହିବା ସମୟ ପରେ ଏହି ଅଯୋଗ୍ୟତା ୬ ବର୍ଷ ପର୍ଯ୍ୟନ୍ତ ଜାରି ରହିବ।

୨୦୦୭ ନଭେମ୍ବର ୨୨ରେ ଅଫଜଲ ଆନସାରୀ ଏବଂ ମୁଖତାର ଆନସାରୀଙ୍କୁ ଗାଜିପୁର ଜିଲାର ମହମ୍ମଦାବାଦ କୋଟୱାଲୀରେ ଗ୍ୟାଙ୍ଗଷ୍ଟର ଚାର୍ଟରେ ଅନ୍ତର୍ଭୁକ୍ତ କରାଯାଇଥିଲା ଏବଂ ଗ୍ୟାଙ୍ଗଷ୍ଟର ଅଧିନିୟମ ଅନୁଯାୟୀ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଗାଜିପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଏସପି ଟିକେଟ ଜିତି ଅଫଜଲ ଆନସାରୀ ଲୋକ ସଭାରେ ପହଞ୍ଚିଥିଲେ। ଏଥି ସହିତ ପଡୋଶୀ ଜିଲା ମଉ କି ମଉ ସଦର ବିଧାନସଭା ଆସନରୁ ମୁଖତାର ଆନସାରୀ କ୍ରମାଗତ ପାଞ୍ଚ ଥର ବିଧାୟକ ରହିଛନ୍ତି।

Share