Categories: ଜାତୀୟ

ମାଫିଆ ଡନ୍‌ ଛୋଟା ରାଜନ-ମୁନ୍ନା ବଜରଙ୍ଗୀଙ୍କ ଡାକ ଟିକଟ ଜାରି: ତଦନ୍ତ ନିର୍ଦ୍ଦେଶ ଦେଲେ ମହାଡାକପାଳ

ନୂଆଦିଲ୍ଲୀ,୨୮।୧୨: ଡାକ ବିଭାଗ ପକ୍ଷରୁ ୨୦୧୭ରେ ମାଇଁ ଷ୍ଟାମ୍ପ୍‌ ଯୋଜନାର ପ୍ରଚଳନ କରାଯାଇଥିଲା। ଏହା ଅନ୍ତର୍ଗତ ଯେ କୌଣସି ବ୍ୟକ୍ତି ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିବା ସହିତ ୩୦୦ ଟଙ୍କା ପୈଠ କରି ନିଜର ୧୨ଟି ଡାକ ଟିକଟ ଜାରି କରିପାରିବେ। ଅନ୍ୟ ଡାକ ଟିକଟ ଭଳି ଏହା ମଧ୍ୟ ମାନ୍ୟ ହୋଇଥାଏ। ଏହାକୁ ଚିଠିରେ ଲଗାଇ ଦେଶର ଯେ କୌଣସି ସ୍ଥାନକୁ ଚିଠି ପଠା ଯାଇ ପାରିବ। ମାତ୍ର ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡାକବିଭାଗ କାର୍ଯ୍ୟାଳୟକୁ ଆସିବାକୁ ପଡ଼ିଥାଏ। ସେଠାରେ ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ୍‌, ପାସପୋର୍ଟ ସାଇଜ୍‌ ଫଟୋ ଦାଖଲ କରିବାକୁ ପଡ଼ିଥାଏ। ଏହାପରେ ଡାକବିଭାଗ କାର୍ଯ୍ୟାଳୟରେ ଥିବା ଓ୍ବେବକ୍ୟାମେରାରେ ଫଟୋ ଉଠାଇବାକୁ ମଧ୍ୟ ପଡ଼ିଥାଏ। ଏହି ଯୋଜନା ଅନ୍ତର୍ଗତ ମାଫିଆ ଡନ୍‌ ଛୋଟା ରାଜନ ଏବଂ ମୁନ୍ନା ବଜରଙ୍ଗୀଙ୍କ ୫ ଟଙ୍କିଆ ଡାକଟିକଟ କାନପୁରରେ ଜାରି କରାଯାଇଛି। ଏହି ଯୋଜନାକୁ ଲୋକପ୍ରିୟ କରିବା ଲାଗି କେବଳ ଜୀବିତ ଲୋକଙ୍କ ଡାକ ଟିକଟ ପ୍ରସ୍ତୁତ କରିବାର ନିୟମ ରହିଛି। କିନ୍ତୁ ୨୦୧୮ ଜୁଲାଇ ୯ରେ ମୁନ୍ନା ବଜରଙ୍ଗୀଙ୍କର ମୃତ୍ୟୁ ଘଟି ସାରିଛି। ଏବେ ଏହାକୁ ନେଇ ଡାକବିଭାଗରେ ତନାଘନା ଆରମ୍ଭ ହୋଇଛି। ରାଜନଙ୍କ ଡାକଟିକଟ ପାଇଁ ରାଜେନ୍ଦ୍ର ଏସ୍‌. ନିଖଲେଜ୍‌ ଆବେଦନ କରିଥିବାବେଳେ ମୁନ୍ନାଙ୍କ ଲାଗି ପ୍ରେମପ୍ରକାଶ ସିଂ ଆବେଦନ କରିଥିବା ଜଣାପଡ଼ିଛି। ଏଥିପାଇଁ ଡାକ ବିନା ଯାଞ୍ଚ୍‌ରେ କିଭଳି ମାଫିଆ ଡନ୍‌ଙ୍କ ଡାକଟିକଟ ଜାରି କରାଗଲା ସେ ନେଇ ମହାଡାକପାଳ ବି.କେ. ବର୍ମା ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି।

Share