ରାତିରେ ଶାଳଗଛ କାଟିଲେ ମାଫିଆ, ଜଣେ ଅଭିଯୁକ୍ତଙ୍କୁ କାବୁ କରି ପୋଲିସ ଜିମାଦେଲେ ମହିଳା

ରୂପ୍‌ସା,୬ା୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଲଛମନଖୁଣ୍ଟା ଅଞ୍ଚଳରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ଗୁରୁବାର ରାତିରେ ୮/୧୦ ଜଣ କାଠ ମାଫିଆ ଓ ଗଛ କଟାଳି ସ୍ଥାନୀୟ ଜଙ୍ଗଲରୁ ଏକ ବୃହତ ଶାଳଗଛ କାଟି ଚୋରା ଚାଲାଣ ଉଦ୍ୟମ କରୁଥିଲେ। ଗଛ ପଡ଼ିବା ଶବ୍ଦ ଶୁଣି ଗାଁର ମହିଳାମାନେ ଏକଜୁଟ୍‌ ହୋଇ ଦୁଇ ଜଣ ଯୁବକଙ୍କୁ କାବୁ କରିଥିବା ବେଳେ ଅନ୍ୟମାନେ ବାଇକ୍‌ ଓ ପିକ୍‌ ଅପ୍‌ ଭ୍ୟାନ୍‌ ନେଇ ଚମ୍ପଟ ମାରିଥିଲେ। ସେହି ଦୁଇ ଜଣ ଯୁବକ ହେଲେ ଲଛମନଖୁଣ୍ଟା ଗ୍ରାମର ମୀର ଅଲିମ ଅଲ୍ଲୀ ଓ ରାଉତପଡ଼ା ପଞ୍ଚାୟତ କାନ୍ଥି ବସ୍ତିର ସେକ୍‌ ତାଜୁ। କୌଶଳକ୍ରମେ ମୀର ଅଲିମ ଅଲ୍ଲୀ ଅନ୍ୟ ଅଭିଯୁକ୍ତଙ୍କୁ ଆଣିବାକୁ ଯାଉଛି କହି ମହିଳାଙ୍କ କବଳରୁ ଦୌଡ଼ି ପଳାଇବାରେ ସମର୍ଥ ହୋଇଥିଲେ। ଖବର ପାଇ ଶୁକ୍ରବାର ସକାଳେ ଫରେଷ୍ଟର ଇତିଶ୍ରୀ ମହାପାତ୍ର, ଫରେଷ୍ଟ ଗାର୍ଡ ଶଶାଙ୍କ ଜେନା ଓ ତପନ କୁମାର ଜେନା ପ୍ରମୁଖ ରୂପ୍‌ସା ଥାନା ପୋଲିସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। କଟାଯାଇଥିବା ମୂଲ୍ୟବାନ ଶାଳଗଛର ୪ଟି କାଠଗଣ୍ଡି ଜବତ କରିବା ସହ ଅଭିଯୁକ୍ତ ସେକ୍‌ ତାଜୁଙ୍କୁ ଗିରଫ କରିଥିଲେ। କାଠ ମାଫିଆମାନେ ଅନ୍ୟ ଦୁଇଟି ଶାଳଗଛକୁ କାଟିବା ପାଇଁ ଗଛ ମୂଳକୁ ଅଧା ହଣା କରିଥିବା ଦେଖିବାକୁ ମିଳିଛି। ଏ ନେଇ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ଅପରପକ୍ଷରେ ଲଛମନଖୁଣ୍ଟାଠାରେ ବେଧଡ଼କ ଚାଲୁଥିବା ଏକ ବେଆଇନ କରତକଳର ମାଲିକ ଶୁକ୍ରବାର ସମସ୍ତ ଯନ୍ତ୍ରାଂଶ ଖୋଲି ଲୁଚାଇ ଦେଇଥିବା ଦେଖିବାକୁ ମିଳିଛି।