ବଜାରରେ ମିଳୁଛି କରୋନା ବରା, କରୋନା ପରଟା: ଭାଇରାଲ ହେଉଛି ଫଟୋ

ମଦୁରାଇ,୯।୭: ତାମିଲନାଡୁର ମଦୁରାଇ ସହର ପରଟା ପାଇଁ ପ୍ରସିଦ୍ଧ ହୋଇଥିବା ବେଳେ ଏବେ ଏଠାକାର ଏକ ରେସ୍ତୋରାଁ କରୋନା ସମ୍ପର୍କିତ ସଚେତନା ସୃଷ୍ଟି କରିବାକୁ ପ୍ରୟାସ କରିଥିବା ଦେଖାଯାଇଛି। ଟେମ୍ପଲ ସିଟି ରେସ୍ତୋରାଁର ମାଲିକ କେ.ଏଲ୍‌. କୁମାର କରୋନା ଭାଇରସଠାରୁ ଦୂରେଇ ରହିବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ଏବେ ତାଙ୍କ ରେସ୍ତୋରାଁରେ ଫେସ୍‌ ମାସ୍କ ଆକାରର ପରଟା ପସ୍ତୁତ କରାଯାଉଛି। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ରେସ୍ତୋରାଁ ମାଲିକ କୁହନ୍ତି କରୋନା ସଂକ୍ରମଣ ସମୟରେ ଫେସ୍‌ମାସ୍କ ପିନ୍ଧିବା ଜରୁରୀ। ହେଲେ କିଛି ଲୋକ ଏହି ନିୟମକୁ ଆଦୌ ପାଳନ କରୁ ନ ଥିବା ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସେ ଏଭଳି ପରଟା ତିଆରି କରିଥିବା କହିଛନ୍ତି। ଲୋକେ ମାସ୍କ ବ୍ୟବହାର କରନ୍ତୁ ଓ କରୋନାଠାରୁ ଦୂରେଇ ରୁହନ୍ତୁ। ଅନ୍ୟ ପରଟା ଭଳି ଏହାର ଦାମ ମଧ୍ୟ ସମାନ ଅର୍ଥାତ୍‌ ୫୦ ଟଙ୍କା ରଖାଯାଇଛି। ତେବେ କୁମାରଙ୍କ ଦୋକାନକୁ ଯଦି କେହି ଗ୍ରାହକ ବିନା ମାସ୍କରେ ଆସୁଛନ୍ତି ତେବେ ସେ ସେମାନଙ୍କୁ ମାଗଣାରେ ମାସ୍କ ଦେଉଥିବା କହିଛନ୍ତି। ଫେସ୍‌ ମାସ୍କ ପରଟା ବ୍ୟତୀତ ସେ କରୋନା ଭାଇରସ ଆକରର ରାଓ୍ବା ଦୋସା ଓ ବରା ମଧ୍ୟ ପ୍ରସ୍ତୁତ କରୁଥିବା କହିଛନ୍ତି। କରୋନା ଯୁଦ୍ଧରେ ଜଣେ ଛୋଟିଆ ଯୋଦ୍ଧାଭାବେ କୁମାର ସାମିଲ ହେବାକୁ ଏଭଳି ପ୍ରୟାସ କରିଥିବା କହିଛନ୍ତି।

Share