Categories: ଜାତୀୟ

ଏହି ରାଜ୍ୟରେ ମଦ୍ରାସା ବନ୍ଦ କରିବାକୁ ସରକାରଙ୍କ ନିଷ୍ପତ୍ତି

ଗୁଆହାଟୀ, ୧୦।୧୦: ଆସାମରେ ଶାସକ ଭାଜପା ସରକାରଙ୍କ ଶିକ୍ଷା ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ରାଜ୍ୟରେ ସମସ୍ତ ସରକାରୀ ମଦ୍ରାସା ବନ୍ଦ କରାଯିବ। ଏହି ପ୍ରକ୍ରିୟା ଆସନ୍ତା ମାସ ଅର୍ଥାତ୍‌ ନଭେମ୍ବରରୁ ଆରମ୍ଭ ହେବ। ଧାର୍ମିକ ଶିକ୍ଷା ଦେବା ସରକାରଙ୍କ କାମ ନୁହେଁ। କୌଣସି ଧାର୍ମିକ ଶିକ୍ଷା ପ୍ରତିଷ୍ଠାନ ସରକାରୀ ପାଣ୍ଠିରୁ ପରିଚାଳିତ ହେବ ନାହିଁ। ତେବେ ବେସରକାରୀ ମଦ୍ରାସା ସଞ୍ଚାଳନ ଉପରେ ଆମେ କିଛି କହିପାରିବୁ ନାହିଁ ବୋଲି ହିମନ୍ତ କହିଛନ୍ତି। ଆସାମ ସରକାରଙ୍କ ଏହି ବୟାନ ପରେ ଏଆଇୟୁଡିଏଫ୍‌ ମୁଖ୍ୟ ତଥା ଲୋକସଭା ଏମ୍‌ପି ବଦରୁଦ୍ଦିନ ଅଜମଲ କହିଛନ୍ତି, ଯଦି ଭାଜପା ନେତୃତ୍ୱାଧୀନ ସରକାର ମଦ୍ରାସା ବନ୍ଦ କରନ୍ତି ତେବେ ଆମ ସରକାର ସେଗୁଡ଼ିକୁ ଖୋଲିବ। ଯଦି ତାଙ୍କ ଦଳ ସରକାର ଗଠନ କରିବ ତେବେ ବନ୍ଦ କରାଯାଇଥିବା ସମସ୍ତ ମଦ୍ରାସା ଖୋଲାଯିବ। ଏଠାରେ ଉଲ୍ଲେଖଯୋଗ୍ୟ, ଗତବର୍ଷ ଆସାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ମଦ୍ରାସା ବନ୍ଦ ହେବା ଫଳରେ ୪୮ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ଅଧିନରେ ଥିବା ବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି। ପ୍ରକାଶଯୋଗ୍ୟ, ଆସାମରେ ୬୧୪ଟି ସରକାରୀ ସହାୟତାପ୍ରାପ୍ତ ମଦ୍ରାସା ରହିଛି। ଯେଉଁଥିରୁ ୫୭ଟି ବାଳିକାମାନଙ୍କ ପାଇଁ ଉଦ୍ଦିଷ୍ଟ। ସେହିଭଳି ରାଜ୍ୟରେ ସରକାରୀ ସହାୟତାପ୍ରାପ୍ତ ୧୦୦ ସଂସ୍କୃତ ବିଦ୍ୟାଳୟ ମଧ୍ୟ ରହିଛି। ରାଜ୍ୟ ସରକାର ବାର୍ଷିକ ମଦ୍ରାସା ପିଛା ୩-୪ କୋଟି ଏବଂ ସଂସ୍କୃତ ବିଦ୍ୟାଳୟ ପିଛା କୋଟିଏ ଟଙ୍କା ଖର୍ଚ୍ଚ କରିଥାନ୍ତି।

Share