Categories: ଜାତୀୟ

ମାଡ୍ରାସ ହାଇକୋର୍ଟରୁ କିରଣ ବେଦୀଙ୍କୁ ଝଟକା: ସରକାରଙ୍କ ଦୈନିକ କାର୍ଯ୍ୟକଳାପ ଉପରେ କରିପାରିବେନି ହସ୍ତକ୍ଷେପ

ପଣ୍ଡୁଚେରୀ,୩୦।୪: ପଣ୍ଡୁଚେରୀର ଉପ ରାଜ୍ୟପାଳ କିରଣ ବେଦୀଙ୍କୁ ମାଡ୍ରାସ ହାଇକୋର୍ଟ ଏକ ବଡ଼ ଝଟକା ଦେଇଛନ୍ତି। କେନ୍ଦ୍ର ଶାସିତ ରାଜ୍ୟର ଦୈନିକ ଗତିବିଧି ଉପରେ ଦଖଲ ଦେବାର ଅଧିକାର କିରଣ ବେଦୀଙ୍କର ନାହିଁ ବୋଲି ଅଦାଲତ ରାୟ ଶୁଣାଇଛନ୍ତି। ଏଥିସହ କିରଣ ବେଦୀ ସରକାରଙ୍କ ପ୍ରତି ଦୈନିକ ଗତିବିଧିରେ ହସ୍ତକ୍ଷେପ ଓ ଫାଇଲ ଯାଞ୍ଚ କରିବାର ଅଧିକାରକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି । କିଛି ଦିନରୁ ପଣ୍ଡୁଚେରୀର ମୁଖ୍ୟମନ୍ତ୍ରୀ ନାରାୟଣ ସାମି ଏବଂ କିରଣ ବେଦୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ଏପରିକି ମୁଖ୍ୟମନ୍ତ୍ରୀ ଉପ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ମଧ୍ୟ ଦେଇଥିଲେ। ଦୁଇ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଝଗଡ଼ା ଶେଷରେ ଅଦାଲତରେ ପହଞ୍ଚିଥିଲା। ଯାହାର ଶୁଣାଣି କରି ମଙ୍ଗଳବାର ମାଡ୍ରାସ ହାଇକୋର୍ଟ ଏଭଳି ରାୟ ଶୁଣାଇଛି । ସୂଚନାଯୋଗ୍ୟ, ପ୍ରଥମେ କିରଣ ବେଦୀ କୌଣସି ଫାଇଲ କାମ ଆଗକୁ ବଢ଼ାଉ ନଥିବା ନେଇ ଅଭିଯୋଗ ଆଣିଥିଲେ ମୁଖ୍ୟମନ୍ତ୍ରୀ। ଏଥିସହ କେନ୍ଦ୍ର ସରକାରଙ୍କ ଇଶାରାରେ ରାଜ୍ୟ ସରକାରଙ୍କୁ ନିଜ କାମ କରିବାକୁ ଦେଉ ନଥିବା ଅଭିଯୋଗ କରିଥିଲେ ନାରାୟଣ ସାମି।

Share