Categories: ଜାତୀୟ

କଂଗ୍ରେସରେ ଗଡ୍‌ସେ ଭକ୍ତଙ୍କ ଏଣ୍ଟ୍ରି ପରେ ଉଠିଲା ବିବାଦ

ଭୋପାଳ,୨୬।୨: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କ ଭକ୍ତ ବାବୁଲାଲ ଚୌରସିଆ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହାକୁ ନେଇ କଂଗ୍ରେସରେ ବିବାଦ ଉଠିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥଙ୍କ ଉପସ୍ଥିତିରେ ଗ୍ବାାଲିୟର କାଉନସିଲର ଏବଂ ଗଡ୍‌ସେଙ୍କ ସମର୍ଥକ ବାବୁଲାଲ ଚୌରାସିଆ କଂଗ୍ରେସରେ ଯୋଗ ଦେଇଥିଲେ। ଏ ସମ୍ପର୍କରେ ଦଳ ଭିତରେ ଏକ ଅଡୁଆ ସୃଷ୍ଟି ହୋଇଛି। କଂଗ୍ରେସର କିଛି ନେତା କମଲ ନାଥଙ୍କୁ ପ୍ରଶ୍ନ କରିଛନ୍ତି। ବାବୁଲାଲ ଚୌରସିଆ ୨୦୧୭ରେ ଗ୍ବାଲିଅରରେ ନାଥୁରାମ ଗଡସେ ମନ୍ଦିର ନିର୍ମାଣ କରିଥିଲେ। ସେ ନିଜକୁ ଜଣେ ଜନ୍ମିତ କଂଗ୍ରେସ କର୍ମୀ ବୋଲି ବର୍ଣ୍ଣନା କରିଛନ୍ତି। ଚୌରସିଆ ଦଳରେ ଯୋଗଦେବା ପରେ କଂଗ୍ରେସ ନେତା ମାନକ ଅଗ୍ରୱାଲ କହିଛନ୍ତି ଯେ ଯେଉଁମାନେ ଗଡସେଙ୍କୁ ପୂଜା କରନ୍ତି ସେମାନଙ୍କୁ କଂଗ୍ରେସରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍‌ ନୁହେଁ। ଆମେ ଏହାକୁ ଦୃଢବିରୋଧ କରୁଛୁ। କମଲ ନାଥ ହୁଏତ ସବୁ ବିଷୟରେ ଅବଗତ ନ ଥିବେ ବୋଲି ସେ କହିଛନ୍ତି।

 

Share