Categories: ଜାତୀୟ

ଅଘୋଷିତ ବିଦ୍ୟୁତ୍‌ କାଟକୁ ନେଇ ଆକ୍ସନ ମୋଡ଼ରେ କମଲନାଥ ସରକାର: ୪୧୫ ଇଞ୍ଜିନିୟର ଓ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଭୋପାଳ,୨୨।୪: ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ନେଇ ଆକ୍ସନ ମୁଡ୍‌ରେ ଆସିଯାଇଛନ୍ତି ମଧ୍ୟପ୍ରଦେଶର ରାଜ୍ୟସରକାର। ଏନେଇ ୪୧୫ ଇଞ୍ଜିନିୟର ଓ କର୍ମଚାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ କମଲନାଥ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏଥିସହ ହୋସଙ୍ଗାବାଦ-ହରଦା ଜିଲାରେ ୫ଲାଇନମେନ ଓ ୯ ଆଉଟସୋର୍ସ କର୍ମଚାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି।  ଏବେ ପର୍ଯ୍ୟନ୍ତ ସରକାର ୬ ଏକ୍ସୁକ୍ୟୁଟିଭ୍‌ ଇଞ୍ଜିନିୟରଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବେଳେ ୫ଜଣଙ୍କୁ ନୋଟିସ କରାଯାଇଛି। ଏଥିସହ ୭ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବେଳେ ୫ଜଣଙ୍କୁ ନୋଟିସ୍‌ ଦିଆଯାଇଛି। ସେହିପରି ୩୨ ଜୁନିୟର ଇଞ୍ଜିନିୟର ସସ୍‌ପେଣ୍ଡ, ୧୮ଙ୍କୁ ନୋଟିସ ଓ ୧୧୦ ଲାଇନମେନ ସସ୍‌ପେଣ୍ଡ  ଓ ୯ଜଣଙ୍କୁ ନୋଟିସ ଦିଆଯାଇଥିବା ଜଣାପଡ଼ିଛି। ଏଥିସହ ୨୨୩ ଅପରେଟରଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରିଥିବା ଜଣାପଡ଼ିଛି। ରାଜ୍ୟରେ ନିୟମିତ ବିଦ୍ୟୁତ୍‌ କଟୁଥିବାରୁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଛାତ୍ରଛତ୍ରୀଙ୍କ ପାଠପଢ଼ାରେ ମଧ୍ୟ ବାଧା ସୃଷ୍ଟି ହେଉଛି। ଏଥିସହ କିଛି ଲୋକେ ହୁକ ପକାଇ ବିଜୁଳି ବ୍ୟବହାର କରୁଥିବା ବେଳେ ଟ୍ରାନ୍ସଫରମର ଭାର ସମ୍ଭାଳିନପାରିବାରୁ ସହରରେ ବାରମ୍ବାର ବିଦ୍ୟୁତ୍‌  କାଟ୍‌ ହେଉଛି। ଫଳରେ ଏନେଇ କିଛି ଗ୍ରାମବାସୀ ପୋଲିସ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଏଭଳି ପଦକ୍ଷେପ ନିଆଯାଇଥିବା ଆଲୋଚନା ହେଉଛି।

Share