Categories: ଜାତୀୟ

ଅଧ୍ୟକ୍ଷ ନିର୍ବାଚନ ମତଦାତା ସୂଚୀ ନେଇ ୫ ଏମ୍‌ପିଙ୍କୁ ମଧୁସୂଦନଙ୍କ ଚିଠି…

ନୂଆଦିଲ୍ଲୀ, ୧୦।୯ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଚର୍ଚ୍ଚା ଚାଲିଛି। ଏହି ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ ଉଠିଛି। କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରି କଂଗ୍ରେସ ଏମ୍‌ପିଙ୍କ ନିର୍ବାଚନ ତାଲିକା ସାର୍ବଜନୀନ କରାଯାଉ ଚିଠିର ଜବାବ ଦେଇଛନ୍ତି।

ସେ କହିଛନ୍ତି ଯେ ଯେତେବେଳେ ନେତାମାନେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବେ ସେତେବେଳେ ସେମାନଙ୍କୁ ଭୋଟର ତାଲିକା ଦିଆଯିବ। କଂଗ୍ରେସ ସୂତ୍ର ଅନୁଯାୟୀ, ପ୍ରତ୍ୟେକ ପିସିସି ପ୍ରତିନିଧୀଙ୍କୁ ସେମାନଙ୍କ ଫୋନରେ ଏକ କ୍ୟୁଆର କୋଡ ଦିଆଯିବ ଯାହା ସୂଚାଇ ଦେବ ଯେ ସେମାନେ ପିସିସି ପ୍ରତିନିଧୀ ଭାବରେ ନିର୍ବାଚିତ ହୋଇଛନ୍ତି ଏବଂ ଅଧ୍ୟକ୍ଷ ପଦ ପାଇଁ ଭୋଟ ଦେବାର ସେମାନଙ୍କର ଅଧିକାର ଅଛି।

ଏହାପୂର୍ବରୁ ଦଳର ବରିଷ୍ଠ ନେତା ତଥା ଅଧ୍ୟକ୍ଷ ପଦର ସମ୍ଭାବିତ ପ୍ରାର୍ଥୀ ଶଶି ଥରୁରଙ୍କ ସମେତ ପାଞ୍ଚଜଣ ଏମ୍‌ପି ନିର୍ବାଚନ ଦାୟିତ୍ୱରେ ଥିବା ମଧୁସୂଦନ ମିସ୍ତ୍ରିଙ୍କୁ ଏକ ଚିଠି ଲେଖି ଭୋଟର ଏବଂ ପ୍ରାର୍ଥୀଙ୍କୁ ଭୋଟର ତାଲିକା ପ୍ରଦାନ କରିବାକୁ ଦାବି କରିଥିଲେ। କଂଗ୍ରେସ ଏମ୍‌ ପି ମନୀଷ ତେୱାରୀ ମଧ୍ୟ ଏହି ଦାବି କରିସାରିଛନ୍ତି।

କଂଗ୍ରେସ ଦ୍ୱାରା ସ୍ଥିର ହୋଇଥିବା ନିର୍ବାଚନ ସୂଚୀ ଅନୁଯାୟୀ ସେପ୍ଟେମ୍ବର ୨୨ ରେ ଦଳର ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ୨୪ ସେପ୍ଟେମ୍ବରରୁ ନାମାଙ୍କନପତ୍ର ଦାଖଲ କରାଯାଇପାରିବ । ନିର୍ବିରୋଧ ନିର୍ବାଚନ ନହେଲେ, ଅକ୍ଟୋବର ୧୭ ରେ ଭୋଟ ଗ୍ରହଣ କରାଯିବ।

ଏମ୍‌ପି ଶଶି ଥରୁର, ମନୀଷ ତିୱାରୀ, କାର୍ତ୍ତି ଚିଦାମ୍ବରମ, ପ୍ରଦ୍ୟୁତ ବାରୋଦଲୋଇ ଏବଂ ଅବଦୁଲ ଖାଲିକ କଂଗ୍ରେସ ନିର୍ବାଚନ ପ୍ରାଧିକରଣର ସଭାପତି ମଧୁସୂଦନଙ୍କୁ ଏକ ଚିଠି ଲେଖି ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଭୋଟର ତଥା ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ରାଜ୍ୟ କଂଗ୍ରେସ ସଂଗଠନର ତାଲିକା ପ୍ରଦାନ କରାଯିବାକୁ ଦାବି କରଥିଲେ । ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷତା ଏବଂ ସ୍ବଚ୍ଛତା ନେଇ ଏହି ପାଞ୍ଚ ଜଣ ଲୋକସଭା ସଦସ୍ୟ ଉଦବେଗ ପ୍ରକାଶ କରିଥିଲେ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡ ଯାତ୍ରାର ଗୋଟିଏ ଦିନ ପୂର୍ବରୁ ଏହି ପାଞ୍ଚଜଣ ଏମ୍‌ପି ଚିଠି ଲେଖିଥିଲେ।

Share