ଅଲୋଡ଼ା ମଧୁସୂଦନ ସଂଗ୍ରହାଳୟ

କଟକ ଅଫିସ,୨୮ା୪: ଶୁକ୍ରବାର ମଧୁବାବୁଙ୍କ ଜୟନ୍ତୀ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହେଲେ ତାଙ୍କ ସ୍ମୃତିରେ ନିର୍ମାଣ କରାଯାଇଥିବା କଟକ ଚଣ୍ଡୀଛକସ୍ଥିତ ମଧୁସୂଦନ ସଂଗ୍ରହାଳୟ ଏବେ ଅସ୍ଥିତ୍ୱ ହରାଇବାରେ ଲାଗିଛି। ରାତି ପାହିଲେ ଜୟନ୍ତୀ, ହେଲେ ଗୁରୁବାର ସଂଗ୍ରହାଳୟ ପରିସରରେ କୌଣସି ପ୍ରସ୍ତୁତି ନ ଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବ୍ୟବହୃତ ସାମଗ୍ରୀଗୁଡ଼ିକୁ ସୁରକ୍ଷିତ ରଖିବା ନିମନ୍ତେ ମଧୁବାବୁଙ୍କ କର୍ମସ୍ଥଳୀ କୋଠାକୁ ସଂଗ୍ରହାଳୟରେ ପରିଣତ କରାଯାଇଛି। ଏହା ଶୈଳବାଳା ମହାବିଦ୍ୟାଳୟ ପରିସରରେ ରହିଛି। ୨୦୦୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ଏହି ସଂଗ୍ରହାଳୟରେ ମଧୁବାବୁ ପରିଧାନ କରୁଥିବା କୋଟ୍‌, ପାଇଜାମା, ଜୋତା, ଘଣ୍ଟା, ଛତା, କଲମ, ଦୁଆତ, ଟିକା, ବହୁ ବିରଳ ଦସ୍ତାବିଜ ଆଲମିରାରେ ରଖାଯାଇଛି। ହେଲେ ବର୍ତ୍ତମାନ ସଂଗ୍ରହାଳୟ ସ୍ଥିତି ବିଗିଡ଼ିବାରେ ଲାଗିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୧୯ଲକ୍ଷ ଟଙ୍କା ବ୍ୟୟରେ ଏହି ସଂଗ୍ରହାଳୟ ନୂଆ ରୂପ ପାଇଥିଲା। ହେଲେ ବର୍ତ୍ତମାନ ସଂଗ୍ରହାଳୟ ସମ୍ମୁଖରେ ମାଳ ମାଳ ଠେଲା ଗାଡ଼ି ଗଦା ହୋଇଛି। ସେହିପରି ଉଦ୍‌ଘାଟନୀ ସମୟରେ ଯେମିତି ସରଞ୍ଜାମ ରଖାଯାଇଥିଲା ୧୬ବର୍ଷପରେ ମଧ୍ୟ ସେଭଳି କିଛି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। କାଚ ଆଲ୍‌ମାରିରେ ରଖାଯାଇଥିବା ବିଭିନ୍ନ ଆସବାବ ପତ୍ରରେ ଧୂଳିର ଆସ୍ତରଣ ଜମି ରହିଛି ା ମଧୁବାବୁଙ୍କ ନାମରେ ନାମିତ ଏହି ସଂଗ୍ରହାଳୟକୁ ଆସୁଥିବା ପରିଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ। ତେଣୁ ଧୀରେ ଧୀରେ ଦର୍ଶକଙ୍କ ସଂଖ୍ୟା କମିବାରେ ଲାଗୁଛି। ତେଣୁ ଏଥିପ୍ରତି ଧ୍ୟାନ ଦେବାର ଆବଶ୍ୟକ ରହିଛି ବୋଲି ଦର୍ଶକ ରେଖା ସାମଲ କହିଛନ୍ତି।
ଅପରପକ୍ଷରେ ସଂଗ୍ରହାଳୟ ବର୍ତ୍ତମାନ ଗୋଟିଏ କକ୍ଷ ମଧ୍ୟରେ ସୀମିତ ହୋଇ ରହିଛି। ରାଜ୍ୟର ବିଭିନ୍ନ ଜିଲା ସମେତ ଦେଶ ବିଦେଶରୁ ଦର୍ଶକ ଏହି ସଂଗ୍ରହାଳୟ ଦେଖିବାକୁ ପ୍ରତିଦିନ ଆସିଥାନ୍ତି। ମଧୁବାବୁଙ୍କ କର୍ମସ୍ଥଳୀ ଭାବେ ବିବେଚନା କରାଯାଉଥିବା ଏହି କୋଠାର ଉପର ମହଲାକୁ ସଂଗ୍ରହାଳୟରେ ପରିଣତ କରାଯାଇପାରି ନାହିଁ। ସଂଗ୍ରହାଳୟ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିଥାଏ। ପ୍ରତି ସୋମବାର ଓ ସରକାରୀ ଛୁଟି ଦିନଗୁଡ଼ିକରେ ସଂଗ୍ରହାଳୟ ବନ୍ଦ ରହିଥାଏ। ଦୈନିକ ୨୦ରୁ ୨୫ ଜଣ ଦର୍ଶକ ସଂଗ୍ରହାଳୟ ପରିଦର୍ଶନରେ ଆସୁଛନ୍ତି। ମ୍ୟୁଜିୟମ ଉପର ମହଲାକୁ ସଂଗ୍ରହାଳୟରେ ପରିଣତ କରିବା ସହିତ ଏହା ବାହାରକୁ କିପରି ଦୃଶ୍ୟମାନ ହୋଇପାରିବ, ଏହାର ବନ୍ଦୋବସ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଅପରପକ୍ଷରେ ସଂଗ୍ରହାଳୟ ଦାୟିତ୍ୱରେ ଥିବା ଅଧିକାରୀଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।