‘ତୁମେ ଅଭିନେତ୍ରୀ ଭଳି ଦେଖାଯାଉନାହଁ’

ବମ୍ବେ: ଦେଖିବାକୁ ସେ ଯେତିକି ସୁନ୍ଦର, ଅଭିନୟରେ ମଧ୍ୟ ସେତିକି ପ୍ରବୀଣ। ଆମେ କହୁଛୁ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦିକ୍ଷୀତଙ୍କ କଥା। ବଲିଉଡ୍‌ ଫିଲ୍ମଜଗତର ସବୁଠାରୁ ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ସେ ଜଣେ। ହେଲେ ତାଙ୍କର ପ୍ରାରମ୍ଭିକ ଦିନଗୁଡ଼ିକ ସେତେଟା ସହଜ ନ ଥିଲା। ଅଭିନେତ୍ରୀଟିଏ ହେବା ଭଳି ଦେଖାଯାଉ ନ ଥିବା ଲୋକଙ୍କୁ ଲାଗୁଥିଲା। ସେ ମହାରାଷ୍ଟ୍ରର ହେବା ସହ ବହୁତ କମ୍‌ ବୟସରେ ନାୟିକା ହେବାର ସ୍ବପ୍ନଟିଏ ଦେଖିଥିଲେ। ମାତ୍ର ତାଙ୍କୁ ପ୍ରତ୍ୟାଖ୍ୟାନ ମିଳିଥିଲା।

ଝିଅ ଭାଙ୍ଗିପଡ଼ିବ ଭାବି ସମ୍ଭାଳି ନେଇଥିଲେ ମା’। ମାଧୁରୀଙ୍କୁ ସେ ଭଲ ଉପଦେଶଟିଏ ଦେଇଥିଲେ। ତୁମେ ଭଲ କାମ କର। ତୁମକୁ ପରିଚୟ ମିଳିବ। ଏହି କଥାଟିକୁ କାନିରେ ଗଣ୍ଠି କରିଥିଲେ ମାଧୁରୀ। ମା’ଙ୍କ ପରାମର୍ଶ କ୍ରମେ ନିଜକୁ ପ୍ରମାଣିତ କରିଚାଲିଥିଲେ। ଶେଷରେ ୧୯୮୪ରେ ବଲିଉଡ୍‌ ଫିଲ୍ମ ‘ଅବୋଧ’ରେ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା ତାଙ୍କୁ। ଏହାପରେ ୧୯୮୮ରେ ଅନିଲ କପୁରଙ୍କ ‘ତେଜାବ’ରେ ସେ ନାୟିକା ସାଜିଥିଲେ। ଏହା ହିଟ୍‌ ହେବା ସହ ମାଧୁରୀଙ୍କ ଅଭିନୟକୁ ବେଶ ପସନ୍ଦ କରାଯାଇଥିଲା। ବାସ୍‌ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ।

ନିକଟରେ ମାଧୁରୀ ଓ୍ବେବ୍‌ ସିରିଜ୍‌ ‘ଫେମ୍‌ ଗେମ୍‌’ ଜରିଆରେ ଓଟିଟି ଡେବ୍ୟୁ କରିଛନ୍ତି। ଏଥିରେ ତାଙ୍କ ସହ ଅଭିନେତା ସଞ୍ଜୟ କପୁର ଏବଂ ମାନବ କୌଲ ଅଛନ୍ତି। ଓ୍ବେବ୍‌ ସିରିଜରେ ସେ ମଧ୍ୟ ଜଣେ ବଲିଉଡ୍‌ ସୁପରଷ୍ଟାର ଚରିତ୍ରରେ ନଜର ଆସୁଛନ୍ତି। ରିଲିଜ ପରଠାରୁ ଏହାକୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି।

Share