ଅଭିନେତା ନୁହେଁ ବରଂ ଜଣେ ଡାକ୍ତରଙ୍କୁ ଭଲପାଇ ବସିଥିଲେ ଏହି ଅଭିନେତ୍ରୀ, ପ୍ରଥମ ଡେଟ୍‌ରେ ଡରିଯାଇ…

ବମ୍ବେ: ବଲିଉଡ୍‌ର ଅନେକ ଅଭିନେତାଙ୍କ ସହ କାମ କରିଥିଲେ ସେ, ହେଲେ ମନ ଦେଇଥିଲେ ଜଣେ ଡାକ୍ତରଙ୍କୁ। ଆମେ କଥା ହେଉଛୁ ଚୁଲବୁଲି ମାଧୁରୀ ଦିକ୍ଷୀତଙ୍କ କଥା। ଯେତେବେଳେ ସେ ଜଣେ ଡାକ୍ତରଙ୍କ ପ୍ରେମରେ ପଡ଼ିଛନ୍ତି ବୋଲି ଜଣାପଡ଼ିଥିଲା, ପ୍ରଶଂସକ ଚକିତ ହୋଇଯାଇଥିଲେ। ଏକଥାକୁ କେହି ବିଶ୍ୱାସ କରିପାରି ନ ଥିଲେ।

୧୯୯୯ରେ ମାଧୁରୀଙ୍କ କ୍ୟାରିୟର ଶୀର୍ଷରେ ଥିଲା। ହେଲେ ସେ ଅଭିନୟକୁ ଛାଡ଼ି ଆମେରିକାରେ ରହୁଥିବା ଡା. ଶ୍ରୀରାମ ନେନେଙ୍କୁ ବିବାହ କରିଥିଲେ। ନିକଟରେ ଉଭୟଙ୍କ ବିବାହକୁ ୨୨ ବର୍ଷ ପୁରିଛି। ଦୁଇ ପୁଅ ଅରିନ ଏବଂ ରୟାନଙ୍କ ଏବେ ବଡ଼ ହୋଇଗଲେଣି।

ବିବାହ ପୂର୍ବରୁ ଶ୍ରୀରାମ ନେନେଙ୍କୁ ମାଧୁରୀ ଜଣେ ବଡ଼ ଅଭିନେତ୍ରୀ ବୋଲି ଜଣା ନ ଥିଲା। ନିର୍ବନ୍ଧ ଯାଏ ଏପରି ଚାଲିଥିଲା। ବିବାହ ପରେ ମାଧୁରୀ ଆମେରିକା ଚାଲିଯାଇଥିଲେ। ସେଠାରେ ତାଙ୍କୁ ଭେଟିବାକୁ ଶାହାରୁଖ ଖାନ, ଅକ୍ଷୟ କୁମାର ଏବଂ ଆଦିତ୍ୟ ଚୋପ୍ରାଙ୍କ ଭଳି କଳାକାର ପହଞ୍ଚୁଥିଲେ। ଏହା ଦେଖି ମାଧୁରୀଙ୍କ ଷ୍ଟାରଡମ୍‌ ବିଷୟରେ ଜଣାପଡ଼ିଥିଲା।

ଜଣେ ବନ୍ଧୁଙ୍କ ଯୋଗୁ ଉଭୟେ ପରସ୍ପରକୁ ଭେଟିଥିଲେ। ଏହା ବେଶ ସାଧାରଣ ଥିଲା। ମାଧୁରୀ ଭାରତରେ ରହୁଥିବା ବେଳେ ଶ୍ରୀରାମ ନେନେ ଆମେରିକାରେ ରହୁଥିଲେ। ଏଣୁ ଉଭୟ ଉଭୟଙ୍କୁ ଭେଟିବାକୁ ଦିନ ଗଣୁଥିଲେ। ଏକଦା ସିମି ଅଗ୍ରଓ୍ବାଲଙ୍କ ଶୋ’ରେ ମାଧୁରୀ ନିଜର ପ୍ରଥମ ଡେଟ୍‌ ବିଷୟରେ କହିଥିଲେ।

ପ୍ରଥମ ଡେଟ୍‌ରେ ମାଧୁରୀଙ୍କୁ ଶ୍ରୀରାମ ମାଉଣ୍ଟେନ୍‌ ବାଇକିଂ ପାଇଁ ନେଇ ଯାଇଥିଲେ। ଏହା ଶୁଣି ମାଧୁରୀ ଡରି ଯାଇଥିଲେ। କାରଣ ତାଙ୍କୁ ପାହାଡ ଉପରେ ବାଇକିଂ କିଭଳି କରିବାକୁ ହୁଏ ଜଣା ନ ଥିଲା। ତଥାପି ସେ ତାହା କରିଥିଲେ। କିଛି ସମୟରେ ଡାକ୍ତର ନେନେ ତାଙ୍କୁ ବେଶ ସାହସୀ ବୋଲି କହିଥିଲେ। ଏହାଛଡ଼ା ତୁମେ ଏହା ପୂର୍ବରୁ କରିଛ କି ବୋଲି ପଚାରିଥିଲେ। ମାଧୁରୀ କହିଥିଲେ ନା। ସେଦିନକୁ ସେ ଆଜି ବି ମନେ ରଖିଥିବା ମାଧୁରୀ କହିଛନ୍ତି।

Share