୨୧ତମ ବିବାହ ବାର୍ଷିକୀରେ ସ୍ବାମୀଙ୍କୁ ଶୁଭକାମନା ଜଣାଇଲେ ମାଧୁରୀ

ମୁମ୍ବାଇ: ବଲିଉଡର ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ଆଜିକାଲି ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍‌ ବ୍ୟସ୍ତ ରହୁଛନ୍ତି। ଆଜି ମାଧୁରୀ ତାଙ୍କର ୨୧ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ଅବସରରେ ସେ ସ୍ବାମୀଙ୍କୁ ମଧ୍ୟ ଶୁଭକାମନା ଜଣାଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ମାଧୁରୀ ସ୍ବାମୀ ଶ୍ରୀରାମ ମାଧବ ନେନେଙ୍କ କିଛି ଫଟୋ ଶେୟାର କରିଛନ୍ତି। ଏଥିରୁ ଉଭୟଙ୍କ ସମ୍ପର୍କ ଖୁବ୍‌ ଭଲ ଥିବା ସ୍ପଷ୍ଟ ବାରି ହୋଇପଡୁଛି। ଗୋଟିଏ ଫଟୋରେ ଦୁଇଜଣ ଯାକ ପାରମ୍ପରିକ ପୋଷାକରେ ଥିବାବେଳେ ଅନ୍ୟଟିରେ କେଉଁଆଡ଼େ ବୁଲିବାକୁ ଯାଉଥିବା ଦେଖିବାକୁ ମିଳିଛି। ଏହି ବିଶେଷ ଉତ୍ସବରେ ନିଜର ଭାବନାକୁ ସ୍ବାମୀଙ୍କ ଉଦ୍ଦେଶ୍ୟରେ କ୍ୟାପଶନ ମାଧ୍ୟମରେ ପ୍ରକାଶ କରିଛନ୍ତି ମାଧୁରୀ।

ସେ ଲେଖିଛନ୍ତି, ‘ମୋ’ ସ୍ବପ୍ନର ରାଜାଙ୍କ ସହିତ ଜୀବନଯାପନ କରୁଥିବାବେଳେ ଆଜି ଏକ ନୂତନ ବର୍ଷ ଆରମ୍ଭ ହୋଇଛି। ଆମେ ପରସ୍ପରଠାରୁ ଦୂରରେ ରହୁଥିଲେ ମଧ୍ୟ ଆମେ ଏକ ଅଟୁ। ମୋ’ ଜୀବନରେ ତୁମକୁ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ରାମ ତୁମକୁ ବିବାହ ବାର୍ଷିକୀର ଶୁଭେଚ୍ଛା।

ସ୍ମରଣଯୋଗ୍ୟ, ମାଧୁରୀ ୧୯୯୯ ଅକ୍ଟୋବର ୧୭ରେ ଶ୍ରୀରାମ ମାଧବ ନେନେଙ୍କୁ ବିବାହ କରିଥିଲେ। ବୃତ୍ତିରେ ନେନେ ଜଣେ ଡାକ୍ତର। ସେ ଲସ୍‌ଆଞ୍ଜେଲ୍ସର ହୃଦରୋଗ ବିଶେଷଜ୍ଞ। ମାଧୁରୀଙ୍କ ଅରିନ ଏବଂ ରିଆନ ନାମକ ଦୁଇ ପୁଅ ଅଛନ୍ତି।

Share