ମଧୁବାବୁ ଓଡ଼ିଆ ଜାତିର ଇତିହାସରେ ସ୍ମରଣୀୟ ରହିବେ

ଭୁବନେଶ୍ୱର, ୩୦।୯(ବ୍ୟୁରୋ): ତତ୍‌କାଳୀନ ନେତୃବର୍ଗଙ୍କ ମଧ୍ୟରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଭାବନା ଆସି ନ ଥିବାବେଳେ ଉତ୍କଳ ଗୌରବ ମଧୁସୂଦନ ଭାଷାଭିତ୍ତିକ ରାଜ୍ୟ ଗଠନର ଆଭିମୁଖ୍ୟ ଗ୍ରହଣ କରି ଇତିହାସ ସୃଷ୍ଟି କରିଥିଲେ। ଓଡ଼ିଆ ଜାତୀୟତା ଓ ସ୍ବାଭିମାନର କାଣ୍ଡାରୀ ଭାବରେ ମଧୁବାବୁଙ୍କ ଭୂମିକା ଓଡ଼ିଆ ଜାତିର ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିବ ବୋଲି ପ୍ରଧାନ ଆୟକର ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ବୁଧବାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟ ଅଭିଲେଖାଗାର ପକ୍ଷରୁ ଆୟୋଜିତ ୫୫ତମ ‘ସଂସ୍କୃତି ଚର୍ଚ୍ଚା’ରେ ପାଣିଗ୍ରାହୀ ଯୋଗଦେଇ ‘ମଧୁବାବୁ: ଓଡ଼ିଆ ସଂସ୍କୃତି, ସ୍ବାଭିମାନ ଓ ଜାତୀୟତା’ ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ, ମଧୁବାବୁ ବାଲ୍ୟକାଳରୁ ତାଙ୍କ ପ୍ରପିତାମହ, ମାତାମହୀ ଓ ସ୍ନେହମୟୀ ଜନନୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ବିଚିତ୍ରାନନ୍ଦ ଦାସଙ୍କ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇ ପରବର୍ତ୍ତୀ ଜୀବନରେ ନୂତନ ଇଲାକାର ସନ୍ଧାନରେ ଯାଇ ଅଦ୍ଭୂତପୂର୍ବ ସଫଳତା ହାସଲ କରିଥିଲେ। ସାଧୁତା, ସମ୍ମାନ ଓ ସ୍ବାଭିମାନର ସହିତ ଓଡ଼ିଆ ଜାତିର ଆତ୍ମପରିଚିତି ସୁଦୃଢ଼ କରିବା ପାଇଁ ସେ ଆଜୀବନ ଉଦ୍ୟମ କରିଥିଲେ। ୧୯୩୨ରେ ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ଖବର ତାଙ୍କୁ ସବୁଠୁ ଖସି ଦେଇଥିଲା। ମୃତ୍ୟୁଶଯ୍ୟାରେ ସେ ତାଙ୍କ ଶେଷ ବାର୍ତ୍ତାରେ କହିଥିଲେ-‘ମନେ ରଖିଥିବ ଜଣେ ଓଡ଼ିଆ ଥିଲା। ତାଙ୍କ ଶବ ଶୋଭାଯାତ୍ରା ଅଦ୍ଭୂତପୂର୍ବ ଥିଲା।’ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଅବିସ୍ମରଣୀୟ ଭୂମିକା ରହିଥିବାବେଳେ ମଧୁବାବୁ ଶତାବ୍ଦୀର ସୂର୍ଯ୍ୟ ଭାବରେ ଓଡ଼ିଆ ଜାତିର ଇତିହାସରେ ସ୍ମରଣୀୟ ରହିବେ ବୋଲି ପାଣିଗ୍ରାହୀ କହିଥିଲେ।
ବିଭାଗୀୟ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ମଧୁବାବୁ ଇଂଲିଶ ଓ ବଙ୍ଗଳା କହୁଥିଲେ ମଧ୍ୟ ଓଡ଼ିଆ ଭାଷାର ଦୃଢ଼ ସମର୍ଥକ ଥିଲେ। ଓଡ଼ିଆ ଲିପି ସମ୍ପର୍କରେ ସେ ଚମତ୍କାର ବକ୍ତୃତା ଦେଇଥିଲେ। ଓଡ଼ିଆରେ ଲିଖିତ ତାଙ୍କ ସାର୍ଥକ ଉଦ୍‌ବୋଧନଭିତ୍ତିକ କବିତାଗୁଡ଼ିକ ଦେଶପ୍ରେମର ଜ୍ୱଳନ୍ତ ଉଦାହରଣ। ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଅଧ୍ୟକ୍ଷତା କରି କହିଲେ, ଊନବିଂଶ ଶତାବ୍ଦୀର ଓଡ଼ିଶା ତତ୍‌କାଳନୀ ରାଜନୈତିକ-ଅର୍ଥନୈତିକ ପରିସ୍ଥିତି, ଉତ୍କଳ ସମ୍ମିଳନୀର ନେତୃତ୍ବ ସହିତ ଓଡ଼ିଶାରେ ନବ ଜାଗରଣର ଅଭ୍ୟୁଦୟ, ଓଡ଼ିଶାର ଅର୍ଥନୈତିକ-ସାଂସ୍କୃତିକ ପ୍ରଗତିର ଇତିହାସ ନିର୍ମାଣରେ ତାଙ୍କ ଅପାସୋରା ସ୍ବାକ୍ଷର ତାଙ୍କୁ ଓଡ଼ିଶା ଇତିହାସର ପ୍ରଣମ୍ୟ ପୁରୁଷ ଭାବେ ସ୍ମରଣୀୟ କରି ରଖିଛି। ରାଜ୍ୟ ଅଭିଲେଖାଗାର ଅଧୀକ୍ଷକ ଡ. ଶେଖ ସୁଲେମାନ୍‌ ଅଲ୍ଲୀ ଅତିଥି ପରିଚୟ ଦେଇଥିଲେ। ଏହି ଅବସରରେ ବିଭାଗର ପୂର୍ବତନ ନିର୍ଦ୍ଦେଶକ ଅମରେନ୍ଦ୍ର ପଟ୍ଟନାୟକଙ୍କ ପରଲୋକରେ
ନିରବ ପ୍ରାର୍ଥନା କରାଯାଇଥିଲା।