ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ତିଆରି କଲେ ପିପିଇ କିଟ୍‌-ଫେସ୍‌‌ ସିଲ୍ଡ!

ଫରିଦାବାଦ,୬।୮: ହରିୟାଣା ଫରିଦାବାଦର ସେକ୍ଟର-୨୧ଏରେ ରହୁଥିବା ଭବ୍ୟ ଚାଓ୍ବଲା ଏବେ ଖୁବ୍‌ ଚର୍ଚ୍ଚାରେ। କରୋନା ମହାମାରୀ ସମୟରେ ଲୋକେ ରୋଜଗାର ହରାଉଥିବା ବେଳେ ଭବ୍ୟ କିନ୍ତୁ ପାଖାପାଖି ଶହେ ଜଣ କର୍ମଚାରୀଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି। ଇତିମଧ୍ୟରେ ସେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ଟି-ସାର୍ଟ, ପିପିଇ କିଟ୍‌, ଫେସ୍‌ ସିଲ୍ଡ, ମାସ୍କ ଆଦି ପ୍ରସ୍ତୁତ କରିଛନ୍ତି। ଯାହା କରୋନା ସମୟରେ ଖୋଜା ପଡୁଛି। ଏଥିରେ କେବଳ ସେ ଅନ୍ୟମାନଙ୍କୁ ରୋଜଗାର ଯୋଗାଇ ଦେଇ ନାହାନ୍ତି ବରଂ ପରିବେଶକୁ ପ୍ରଦୂଷଣରୁ ରକ୍ଷା କରିବାକୁ ସାହାଯ୍ୟ କରିଛନ୍ତି। ସୂଚନାଯୋଗ୍ୟ, ବିବିଏ ଡିଗ୍ରୀ ହାସଲ କରିଥିବା ଭବ୍ୟ ସବୁବେଳେ କିଛି ନୂଆ କରିବାକୁ ଇଚ୍ଛା ରଖିଥିବା ପ୍ରକାଶ କରିଛନ୍ତି। ଆଉ ଏବେ ତାଙ୍କ କମ୍ପାନୀ ବୁଲ୍ଟ ନ୍ୟାଚୁଲାଲ ଡଟ୍‌ କମ୍‌ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ଏସବୁ ଜିନିଷ ପ୍ରସ୍ତୁତ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ସେ କହିଛନ୍ତି। ତେବେ ଥରେ ସେ ସାଥିମାନଙ୍କ ସହ ନୈନିତାଲ ବୁଲିବାକୁ ଯାଇଥିବା ବେଳେ ସେଠାରେ ସେ ଏକ ନଦୀକୁ ଦୂରରୁ ଦେଖିଥିଲେ। ଯାହା ଖୁବ୍‌ ସୁନ୍ଦର ଦେଖାଯାଉଥିଲା। ହେଲେ ନିକଟରେ ଆସି ଦେଖିବା ବେଳକୁ ନଦୀ କୂଳରେ ଏତେ ପରିମାଣର ପ୍ଲାଷ୍ଟିକ ବୋତଲ ଜମା ହୋଇଥିଲା ଯାହା ତାଙ୍କୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ କିଛି ପ୍ରସ୍ତୁତ କରିବାକୁ ପ୍ରେରଣା ଦେଇଥିଲା ବୋଲି ସେ କହିଛନ୍ତି।

Share