ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ ଆହତ ହୋଇଛି। ରାଜନଗର ଥାନା ଅନ୍ତର୍ଗତ ଡାଙ୍ଗମାଳ ପଞ୍ଚାୟତର ବାଙ୍କୁଆଳ ଗାଁରେ ଆଜି ଏଭଳି ଘଟଣା ଘଟିଛି। ଆହତ ବ୍ୟକ୍ତି ହେଲେ ମଦନ ବେହେରା (୬୦)।
ସୂଚନା ଅନୁଯାୟୀ, ମଦନ ଭିତରକନିକା ଜଙ୍ଗଲ ନିକଟରେ କଙ୍କଡ଼ା ଧରୁଥିବା ସମୟରେ ହଠାତ୍ ଏକ ବିରାଟକାୟ କୁମ୍ଭୀର ତାଙ୍କ ଡାହାଣ ପାଦକୁ ମାଡ଼ି ବସିଥିଲା। ମଦନ ଚିତ୍କାର କରିବାରୁ ସେହି ବାଟ ଦେଇ ଯାଉଥିବା ବନ କର୍ମଚାରୀମାନେ ଘଟଣାସ୍ଥଳରେ ଅଟକିଥିଲେ।
ବନ କର୍ମଚାରୀମାନଙ୍କୁ ଦେଖି ମଦନ ସାହସ ଜୁଟାଇ ହାତରେ ଧରିଥିବା ବାଡ଼ିରେ କୁମ୍ଭୀରକୁ ଆକ୍ରମଣ କରିଥିଲେ। ଫଳରେ ସେ କୁମ୍ଭୀରର ପାଟିରୁ ଖସି ଆସିବାରେ ସକ୍ଷମ ହୋଇଥିଲେ। ଏହାପରେ ସେ ଏକ ଗଛରେ ଓହଳି ରହିଥିଲେ।
ଘଟଣାସ୍ଥଳରେ ବନ କର୍ମଚାରୀ ରମାକାନ୍ତ ଦାସ, ଗିରିଶ ବେହେରା, ଯଶୋବନ୍ତ ବେହେରା, ସଞ୍ଜୟ ଦଳାଇ, ବନମାଳୀ ଦଳାଇଙ୍କ ସମେତ ସ୍ଥାନୀୟ ଲୋକେ ପହଞ୍ଚିଥିଲେ। ସମସ୍ତେ ମିଳିତ ଭାବେ ବାଡ଼ିରେ ପାଣିକୁ ବାଡ଼େଇବା ପରେ କୁମ୍ଭୀରଟି ସେଠାରୁ ଚାଲିଯାଇଥିଲା। ପରେ ବନ କର୍ମଚାରୀମାନେ ପାଣି ଭିତରକୁ ଯାଇ ମଦନଙ୍କୁ ଉଦ୍ଧାର କରିଥିଲେ।
କୁମ୍ଭୀର ଆକ୍ରମଣରେ ମଦନଙ୍କ ଡାହାଣ ଗୋଡ଼ର ପାଦ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯିବା ସହ ଗୁରୁତର କ୍ଷତ ହୋଇଛି। ବନ ବିଭାଗ ପକ୍ଷରୁ ଗାଡ଼ି ଯୋଗେ ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।