ଶ୍ରମିକ ବଦଳରେ ମେଶିନ

ବଇଣ୍ଡା, ୨।୧୧(ଡି.ଏନ୍‌.ଏ.): ଗ୍ରାମାଞ୍ଚଳର ଶ୍ରମଜୀବୀଙ୍କୁ କର୍ମ ନିୟୋଜନ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)। ସଡ଼କ, ଚାରାରୋପଣ, ପୋଖରୀ ଖନନ ସମେତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଲାଗି ଏହି ସ୍କିମ୍‌ରେ ଖର୍ଚ୍ଚ ହେଉଛି ବହୁ କୋଟି ଟଙ୍କା। ହେଲେ ଏହାର ପ୍ରକୃତ ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚୁନାହିଁ। କାରଣ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇ ଶ୍ରମିକଙ୍କ ପରିବର୍ତ୍ତେ ମେଶିନ୍‌ରେ କରାଯାଉଛି କାମ।
ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ପଞ୍ଚାୟତରେ ଏଭଳି ବେଆଇନ କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ବନ୍ଧଗଁା ଗ୍ରାମବାସୀ ସୋମବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।
ଗଁା ଲୋକଙ୍କ କହିବା କଥା, ଆମ୍ବସରମୁଣ୍ଡା ପଞ୍ଚାୟତର ବନ୍ଧଗଁାଠାରୁ ନିଶାଣିପଥର ଗ୍ରାମକୁ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ୧ କିଲୋମିଟର ବିଶିଷ୍ଟ ମାଟି ସଡ଼କ ନିର୍ମାଣ ଲାଗି ୫ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ତେବେ ଉକ୍ତ କାର୍ଯ୍ୟରେ ଶ୍ରମିକଙ୍କୁ ନିୟୋଜିତ କରିବା ବଦଳରେ ଖୋଲାଖୋଲି ଜେସିବି ମେଶିନ ଲଗାଇ କାମ କରାଯାଉଛି। ପଞ୍ଚାୟତରେ ୧,୨୩୪ ଜବ୍‌କାର୍ଡଧାରୀ ଥିବାବେଳେ ସେମାନଙ୍କୁ ଅଣଦେଖା କରାଯାଉଛି। ଅଞ୍ଚଳବାସୀ ଏହାର ପ୍ରତିବାଦ କରିବା ସତ୍ତ୍ୱେ ସୁଫଳ ମିଳୁନାହିଁ। ଏଭଳି ଦୁର୍ନୀତିରେ ପଞ୍ଚାୟତର କେତେଜଣ ଅଧିକାରୀଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଛି। ଜିଲାପାଳ ବ୍ୟକ୍ତିଗତ ଭାବେ ଏଥିରେ ହସ୍ତକ୍ଷେପ କରିବା ସହ ଉକ୍ତ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ସମ୍ମୁଖକୁ ଆସିବ ବୋଲି ଅଞ୍ଚଳବାସୀ କହିଛନ୍ତି। ଏ ନେଇ ଆଠମଲ୍ଲିକ ବିଡିଓ ସୌଭାଗ୍ୟ ବେହେରା କୁହନ୍ତି, ଏମ୍‌ଜିଏନ୍‌ଆରଇଜିଏସ୍‌ କାର୍ଯ୍ୟରେ ମେଶିନ ବ୍ୟବହାର କରାଯିବା ବେଆଇନ। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।