୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି ସ୍ପେନର ଜଣେ ଗବେଷକ।

ସୁଦୂର ୟୁରୋପୀୟ ଦେଶ ସ୍ପେନର ବାର୍ସିଲୋନା ସହରରୁ ଆସିଥିବା ଏହି ବିଦେଶୀ ପର୍ଯ୍ୟଟକ ଯୋଗମାୟା ପୀଠରେ ପହଞ୍ଚି ମା’ଙ୍କ ଆଶୀର୍ବାଦ ନେବା ସହ ପ୍ରସିଦ୍ଧ ‘ଦେବଗୁମ୍ଫା’ର ମନୋରମ ପରିବେଶ ଉପଭୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଉକ୍ତ ଗବେଷକ ପ୍ରାୟ ୧୮ ବର୍ଷ ପୂର୍ବେ, ଅର୍ଥାତ୍ ୨୦୦୮ ମସିହାରେ ଏକ ଗବେଷଣାମୂଳକ କାର୍ଯ୍ୟରେ ଭାରତ ଆସିଥିବା ବେଳେ ପ୍ରଥମ ଥର ପାଇଁ ଗୁର୍ଜିମୁଣ୍ଡାର ମା’ ଯୋଗମାୟା ପୀଠ ପରିଦର୍ଶନ କରିଥିଲେ। ସେତେବେଳେ ପୀଠର ଶାନ୍ତ ଓ ମନୋରମ ପରିବେଶ ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା। ଦୀର୍ଘ ବର୍ଷ ପରେ ପୁଣି ଥରେ ଭାରତ ଆସିବା ପରେ ସେ ସିଧାସଳଖ ଏହି ପବିତ୍ର ପୀଠକୁ ଆସିଥିଲେ।

ଯୋଗମାୟା ପୀଠର ପାହାଡ଼, ପ୍ରାକୃତିକ ଗୁମ୍ଫା, ସବୁଜ ପରିବେଶ ଓ ନିରୋଳା ବାତାବରଣ ତାଙ୍କୁ ବିମୋହିତ କରିଥିବା ସେ ଭାବପୂର୍ଣ୍ଣ ଭାବେ ପ୍ରକାଶ କରିଥିଲେ। ଗୁର୍ଜିମୁଣ୍ଡାର ଏହି ଐତିହ୍ୟସମ୍ପନ୍ନ ପର୍ଯ୍ୟଟନସ୍ଥଳୀକୁ ପୂର୍ବରୁ ମଧ୍ୟ ଅନେକ ବିଦେଶୀ ପର୍ଯ୍ୟଟକ ଆସିଥିବା ଜଣାପଡ଼ିଛି। ବାରମ୍ବାର ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଏହି ଅଞ୍ଚଳର ପର୍ଯ୍ୟଟନ ସମ୍ଭାବନାକୁ ଆହୁରି ବଢ଼ାଇବ ବୋଲି ସ୍ଥାନୀୟମାନେ ଆଶା ପ୍ରକାଶ କରିଛନ୍ତି।

ଏହି ଅବସରରେ ଯୋଗମାୟା ପୀଠର ପରିଚାଳକ ମୋତି ବଗର୍ତ୍ତି ବିଦେଶୀ ଗବେଷକଙ୍କୁ ପୀଠର ବିଭିନ୍ନ ସ୍ଥାନ ବୁଲାଇ ଦେଖାଇବା ସହ ମା’ ଯୋଗମାୟାଙ୍କ ପୀଠ, ପ୍ରାକୃତିକ ପରିବେଶ ଓ ‘ଦେବଗୁମ୍ଫା’ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ।

Share