ମା’ ଠାକୁରାଣୀଙ୍କ ଘଣ୍ଟଯାତ୍ରା ଉଦ୍‌ଯାପିତ

ଲାଞ୍ଜିଗଡ,୧।୪(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ମା’ ଠାକୁରାଣୀଙ୍କ ଘଟଯାତ୍ରା ଶୁକ୍ରବାର ଉଦ୍‌ଯାପିତ ହେଇଯାଇଛି। ଗତ ୯ ଦିନ ଧରି ଦ୍ବାର ଦ୍ବାର ବୁଲି ଭକ୍ତଙ୍କୁ ଦର୍ଶନ ଦେବା ପରେ ନିଜ ଆସ୍ଥାନ ବିରାଜମାନ କରିଛନ୍ତି ଲାଞ୍ଜିଗଡ ଇଷ୍ଟଦେବୀ ମା’ ଠାକୁରାଣୀ। ପୂଜକ ମା’ ଭକ୍ତଙ୍କ ପିଠିରେ ଆସ୍ଥାନକୁ ନେଇଥିଲେ। ଲାଞ୍ଜିଗଡ ରାଜ ଉଆସରୁ ମା’ଙ୍କ ଘଣ୍ଟକୁ ଶୃଙ୍ଗାର କରି ଗାଁ ମଝିରେ ଥିବା ମନ୍ଦିରକୁ ଅଣାଯାଇ ପୂଜାର୍ଚ୍ଚନା କରି ପୂଜକମାନେ ଆହ୍ବାନ କରିଥିଲେ। ପରେ ମା’ଙ୍କ ମୁଖ୍ୟ ପୂଜକ ଅଭିମନ୍ୟୁ ପାତ୍ର ଓ ଜମ୍ବେଶ୍ୱର ପୂଜାରୀ ମା’ଙ୍କ ଘଣ୍ଟକୁ ମୁଣ୍ଡରେ ବହନ କରିଥିବା ବେଳେ ବାହୁକ ହରିଶ୍ଚନ୍ଦ୍ର ମୁଣ୍ଡଛିନା ମା’ଙ୍କ ଛତର ଧରି ଅଞ୍ଚଳର ବିଭିନ୍ନ ଗାଁ ପରିକ୍ରମା କରିଥିଲେ। ଦୀର୍ଘ ୮ ଦିନ ବିଭିନ୍ନ ଗାଁକୁ ଯାଇ ଭକ୍ତମାନଙ୍କ ଘରେ ପୂଜା ପାଇବା ପରେ ନବମ ଦିନ ନିଜ ମନ୍ଦିରରେ ଗୋଟିଏ ଦିନ ପାଇଁ ବିଶ୍ରାମ ନେଇଥିଲେ। ପୁଣି ସେହିଦିନ ସାରେ ଲାଞ୍ଜିଗଡ ରାଜାଙ୍କ ଘରକୁ ଯାଇ ପୂଜା ପାଇବା ପରେ ନବମ ଦିବସ ରାତିସାରା ଲାଞ୍ଜିଗଡ ସହର ସମସ୍ତ ଘରକୁ ଯାଇ ଝୁଣା, ପଣାପାଣି, ଗଜାମୁଆ ଇତ୍ୟାଦି ଭୋଗ ଗ୍ରହଣ କରିଥିଲେ। ଉଦଯାପନୀ ଦିବସରେ ମା’ଙ୍କ ସେବକ ପୂଜାରୀ ପଡ଼ାରୁ ଏକ ବିରାଟ ଆଡୁଆଳରେ ମା’ଙ୍କୁ ମନ୍ଦିରକୁ ଆଣିଥିଲେ। ଘଣ୍ଟ, ଶଙ୍ଖ, ଖୋଳତାଳ ବାଦ୍ୟରେ ମା’ଙ୍କୁ ସ୍ବାଗତ କରି ଚିତା ଆଙ୍କି ନିଜ ଦ୍ବାରା ସାମ୍ନାରେ ଭୋଗ ଅର୍ପଣ କରିଥିଲେ ପୂଜାରୀପଡାବାସୀ। ଯେଉଁମାନେ ମାନସିକ କରିଥିଲେ ସେମାନେ ବୁଡା, କୁକୁଡ଼ା, ପାରା ବଳି ଦେଇଥିବା ଦେଖିବାକୁ ମିଳିଥିଲା। ପରେ ନିଜ ଆସ୍ଥାନକୁ ଆସିବା ସମୟରେ ଭକ୍ତ ମାନଙ୍କ ପିଠିରେ ଚଡି ନିଜ ଆସ୍ଥାନରେ ବିରାଜମାନ କରିଥିଲେ ମା’ ଠାକୁରାଣୀ। ମା’ଙ୍କ ପିଠି ଉପରେ ଚଡି ଆସିଲେ ବିଭିନ୍ନ ରୋଗ ଦୂର ହେବା ସହ ଶାନ୍ତିମୟ ଜୀବନଯାପନ କରିବା ବିଶ୍ୱାସ ରହିଛି। ମନ୍ଦିରକୁ ଆସିବା ପରେ ଗ୍ରାମର ସମସ୍ତଙ୍କ ଘରୁ ଶସ୍ୟ ସଂଗ୍ରହ କରାଯାଇଥିଲା। ସେହି ଶସ୍ୟଙ୍କୁ ମା’ ଘରେ ପୂଜାର୍ଚ୍ଚନା ପରେ ଭକ୍ତମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ସେହି ଶସ୍ୟ ରଖି ଅକ୍ଷୟ ତୃତୀୟାରେ ଜମିରେ ଦେଲେ ଭଲ ଅମଳ ହୁଏ ବୋଲି ମଧ୍ୟ ବିଶ୍ୱାସ ରହିଛି। ଶାନ୍ତିଶୃଙ୍ଖଳା ସହିତ ଯାତ୍ରା ପାଳନ ପାଇଁ ମା’ ଠାକୁରାଣୀ ପୂଜା କମିଟି ପକ୍ଷରୁ ବ୍ୟାପକ ବବ୍ୟସ୍ଥା କରାଯାଇଥିଲା।