ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର ପବିତ୍ର ପୂର୍ଣ୍ଣମୀ ଅବସରରେ ଉଦ୍ଯାପନ ହୋଇଛି। ମାସସାରା ହଜାର ହଜାର ଭକ୍ତଙ୍କ ଗହଣରେ ସମଗ୍ର ରତ୍ନଗିରିପାହାଡ ପୂରିଉଠୁଥିବାବେଳେ ଆଜି ସତେ ଯେପରି ଏକପ୍ରକାରର ଖାଁଖାଁ ହୋଇପଡିଛି। ଯାତ୍ରାକୁ ନିମନ୍ତ୍ରିତ ହୋଇ ଆସିଥିବା ସର୍ବଦେବାଦେବୀମାନେ ମଧ୍ୟ ରତ୍ନଗିରି ଛାଡି ନିଜନିଜ ସ୍ଥାନକୁ ଚାଲିଯାଇଛନ୍ତି । ଚୈତ୍ର ମାସର ଏହି ଶେଷ ଦିନରେ ମା ’ ଙ୍କ ନିକଟରେ ଅଧରପଣା ଲାଗିହୋଇଛି । ଖିର,ଘିଅ,ନବାତ ଭଳି ବିଭିନ୍ନ ପ୍ରକାର ସାମଗ୍ରୀରେ ଏହିପଣା ପ୍ରସ୍ତୁତ କରାଯାଇ ମା’ଙ୍କ ନିକଟରେ ଲାଗିକରାଯାଇଛି । ଏହାପରେ ସେହି ପଣାହାଣ୍ଡିକୁ ବାହାରକୁ ନେଇ ଭାଙ୍ଗି ଦିଆଯାଇଛି l ଏହି ଅଧର ପଣାନିତିର ଏଠାରେ ଏକ ସ୍ବତନ୍ତ୍ର ବିଶେଷତ୍ୱ ରହିଛି, ଯାହାକି ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା ସକାଶେ ଫଲଗୁନମାସ ଦୋଳ ପର୍ଣ୍ଣମୀଠାରୁ ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କରି ଯାତ୍ରାକୁ ଡକାଯାଇଥାଏ । ଯାହାଦ୍ବାରା ଦେବାଦେବୀମାନେ ଏଠାକୁ ଆସି ମା’ ତାରାତାରିଣୀ ଅବସ୍ଥାନ କରିଥିବା ରତ୍ନଗିରିପାହାଡରେ ଦୀର୍ଘ ଏକମାସ ଧରି ରହିଥାନ୍ତି । ମା’ଙ୍କ ଚୈତ୍ରମଙ୍ଗଳବାର ଯାତ୍ରା ସରିବା ପରେ ପୂର୍ଣ୍ଣମୀରେ ଏମାନେ ରତ୍ନଗିରି ଛାଡି ନିଜନିଜର ସ୍ଥାନକୁ ଚାଲିଯାଇଥାନ୍ତି । ଏଣୁ ସେମାନେ ଫେରିଯିବାବେଳେ ଏହି ଅଧରପଣା ଦିଆଯାଇଥାଏ। ଆଉ ଏହି ଅଧରପଣାରେ ହିଁ ସର୍ବଦେବାଦେବୀମାନେ ସନ୍ତୁଷ୍ଟ ହୋଇଥାନ୍ତି । ଏଣୁ ଚୈତ୍ରମାସର ଏହି ଶେଷ ଦିନରେ ଏଭଳି ଅଧରପଣା ନିତିର ପରମ୍ପରା ରହିଛି । ମନ୍ଦିର ଦ୍ୱାର ଫିଟା ହୋଇ ମାଜଣା, ମଙ୍ଗଳ ଆଳତି, ସିଙ୍ଗାର, ଅବକାଶ ଆଦି ପରମ୍ପରା ଅନୁସାରେ ସମସ୍ତ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା କରାଯାଇ ତାରାତାରିଣୀ ଦୁଇ ଭଉଣୀଙ୍କୁ ସେବାୟତମାନେ ରାଜରାଜେଶ୍ବରୀ ବେଶରେ ସଜ୍ଜିତ କରାଇବା ପରେ ସାହାଣ ମେଲା ହୋଇ ଅଧରପଣା ନିତି ହୋଇଥିଲା । ମାସର ଏହି ଶେଷ ଦିନରେ ମା’ ତାରାତାରିଣୀ ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଏହାକୁ ଦେଖିବା ସହ ମାଙ୍କ ଆଶୀର୍ବାଦ ଭିକ୍ଷାଲଗି ଭକ୍ତଙ୍କ ଭିଡଜମିଥିଲା । ଗଞ୍ଜାମ ଜିଲାପାଳ ଭି ର୍କିତ୍ତିଭାସନ ଯୋଗଦେଇ ଜିଲାବାସୀଙ୍କ ମଙ୍ଗଳକାମନା କରିଥିବାବେଳେ ଏସ୍ପି ସୁଭେନ୍ଦୁକୁମାର ପାତ୍ର,ଛତ୍ରପୁର ଉପଜିଲାପାଳ ଶୁଭାଶିଶ ବରାଳ,ମନ୍ଦିର ନିର୍ବାହୀ ଅଧିକାରୀ ତଥା ତହସିଲଦାର ବିନୋଦକୁମାର ବେହେରା,ବିଡିଓ ଶରତକୁମାର ପାତ୍ର,ଏନଏସି ନିର୍ବାହୀ ଅଧିକାରୀ ସଂଗିତା ସେଠୀ,ଏସଡିପିଓ ସୁଜିତକୁମାର ନାୟକ,ଆଇଆଇସି କୁଳମଣୀସେଠୀଙ୍କ ସମେତ ଜିଲାର ସମସ୍ତ ପ୍ରଶାସନିକଅଧିକାରୀମାନେ ଯୋଗଦେଇମାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।

