ମେଲାଣି ନେଲେ ମା’

କଟକ ଅଫିସ/ଭୁବନେଶ୍ୱର(ବ୍ୟୁରୋ), ୨୮ା୧୦: କୋଭିଡ୍‌ କଟକଣା ମଧ୍ୟରେ ଚଳିତବର୍ଷ କଟକ ଓ ଭୁବନେଶ୍ୱରରେ ଦୁର୍ଗା ପୂଜା ଓ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସହରରେ ବିନା ଶୋଭାଯାତ୍ରା ଓ ନିରାଡମ୍ବର ଭାବେ ମା’ଙ୍କୁ ମେଲାଣି ଦିଆଯାଇଛି।
ପ୍ରତିବର୍ଷ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଭସାଣି ଉତ୍ସବରେ ସାମିଲ ହୋଇଥାନ୍ତି। କଟକ ରାଣୀହାଟ ଠାରୁ ଦେବୀଗଡା ପର୍ଯ୍ୟନ୍ତ ମୂର୍ତ୍ତୀ ବିସର୍ଜନ ପାଇଁ ଲାଇନ ଲାଗିଥାଏ। ପାରମ୍ପରିକ ବାଦ୍ୟ, ଘଣ୍ଟ, ଲୋକନୃତ୍ୟର ଆସରରେ ମା’ଙ୍କୁ ମେଲାଣି ଦିଆଯାଇଥାଏ। ମାତ୍ର ଚଳିତବର୍ଷ କରୋନା ଯୋଗୁ ସବୁ ଫିକା ପଡିଛି। କୈଣସି ବାଦ୍ୟଯନ୍ତ୍ର ଶୋଭାଯାତ୍ରାରେ ସାମିଲ କରାଯାଇନାହିଁ। ପୂଜା କମିଟିର ୭ଜଣ ସଦସ୍ୟଙ୍କୁ ନେଇ ଏହି ଭସାଣକୁ ପାଳନ କରାଯାଇଥିଲା। ମୂତ୍ତିଗୁଡିକୁ ଡାଲାଅଟୋ, ଟ୍ରାକ୍ଟର ଏବଂ ଟ୍ରଲିରେ ନିଆଯାଇ ନିକଟସ୍ଥ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଥିଲା। ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ୧୨୨ଟି ମେଢ ବିସର୍ଜନ କରାଯାଇଥିଲା। ଚଳିତବର୍ଷ ୧୪ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଥିଲା। ପ୍ରଶାସନ ପକ୍ଷରୁ ୪ଟି ପର୍ଯ୍ୟାୟ (ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା, ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା, ଅପରାହ୍ନ ୨ଟାରୁ ୪ଟା ଏବଂ ୪ଟାରୁ ସନ୍ଧ୍ୟା ୬ଟା) ପର୍ଯ୍ୟନ୍ତ ମୂର୍ତ୍ତୀ ବିସର୍ଜନ ପାଇଁ ପୂଜା କମିଟିଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମୂର୍ତ୍ତିଗୁଡିକୁ ବିସର୍ଜନ କରାଯାଇଥିବା ଡିସିପି ପ୍ରତୀପ ସିଂ ସୂଚନା ଦେଇଛନ୍ତି। ସେହିପରି ଭୁବନେଶ୍ୱରରେ ମଧ୍ୟ କଟକଣା ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ମା’ଙ୍କ ଭସାଣୀ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଦୟାନଦୀ ଓ କୁଆଖାଇ ନଦୀ ପଠାରେ ନିର୍ମିତ ୪ଟି ଅସ୍ଥାୟୀ ପୋଖରୀରେ ମା’ଙ୍କ ମୂର୍ତ୍ତି ବିସର୍ଜନ କରାଯାଇଛି। ବିଏମ୍‌ସି ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ ଓ ରାଜଧାନୀ ଶାନ୍ତି କମିଟି ସମ୍ପାଦକ ନବକିଶୋର ବେହେରାଙ୍କ ତତ୍ତ୍ୱାବଧାନରେ ସମସ୍ତ ମୂର୍ତ୍ତି ବିସର୍ଜନ କରାଯାଇଥିଲା। ୬ ପ୍ଲାଟୁନ୍‌ ପୋଲିସ ସହ ମଞ୍ଚେଶ୍ୱର ଥାନା ଅଧିକାରୀ, ବିଏମ୍‌ସି ଅଧିକାରୀ ସତ୍ୟନାରାୟଣ ପାତ୍ର, ଅସୀମ ମିଶ୍ର, ସରୋଜ କୁମାର ମହାପାତ୍ର, ଜଗନ୍ନାଥ ପାତ୍ର, ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ସମସ୍ତ ପୂଜାମଣ୍ଡପର ମୁରବିମାନଙ୍କ ଉପସ୍ଥିତିରେ ମା’ଙ୍କର ମୂର୍ତ୍ତି ବିସର୍ଜନ କରାଯାଇଥିଲା।