ଗଞ୍ଜାମ,୨୯।୪(ବିଦ୍ୟାଧର ସାହୁ): ଆସନ୍ତା ୧ରୁ ଆରମ୍ଭ ହେବ ମା’ ଶୀତଳା ଠାକୁରାଣୀଙ୍କ ଯାତ୍ରା l ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ସମଗ୍ର କାଇଁଚପୁର ଅଞ୍ଚଳ l ଏକ ମାସ ପୂର୍ବରୁ ଏହାର ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି l ପୂର୍ବରୁ ଗ୍ରାମର ରେଡି ସାହି ଠାରେ ପୂଜକ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବାପରେ ମା’ଙ୍କ ଭୂମି ପୂଜା ଏବଂ ଶୁଭଖୁଣ୍ଟ ସ୍ଥାପନ କରାଯାଇଛି l ଏହି ଉପଲକ୍ଷେ କୈବର୍ତ୍ତ ସାହିରେ ଠାକୁର ବାୟାଧର ଏବଂ ଦଳେଇପୁଟ ସାହିରେ ମାଲୁଆଣୀ ଠାକୁରାଣୀ ଏବଂ ରେଡି ସାହିରେ ମା ଶୀତଳାଇଙ୍କ ତିନୋଟି ଶୁଭଖୁଣ୍ଟ ସ୍ଥାପନ କରାଯାଇଛି। ବରୋଦା ବାବାଙ୍କ ପୂଜାର୍ଚ୍ଚନା ପରେ ମଙ୍ଗଳବାର ଆୟୋଜକ ବଡ଼ କାଇଁଚପୁର ଗ୍ରାମବାସୀଙ୍କ ପକ୍ଷରୁ କଲ୍ୟାଣପୁରଚ୍ସ୍ଥିତ ଋଷିକୂଲ୍ୟା ନଦୀ ରାମେଶ୍ୱର ଘାଟରୁ ପାଣିଭାର ଅଣାଯାଇଛି।
ଏହାପରେ ଗୋପାଳସ୍ବାମୀ ରାଧାକୃଷ୍ଣଙ୍କ ମନ୍ଦିର ପ୍ରତିଷ୍ଠା ହେବ।
ଆସନ୍ତା କାଲି ଅର୍ଥାତ ବୁଧବାର ମା’ ଠାକୁରାଣୀଙ୍କୁ ଫୁଲ ଚଢ଼ା ହୋଇ ମା’ଙ୍କ ଠାରୁ ଫୁଲ ତଥା ଆଜ୍ଞାମାଳ ଆସିବା ପରେ ଗୁରୁବାର ମା’ ଶୀତଳା ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହେବ l ଗ୍ରାମର ବିଭିନ୍ନ ସାହିରେ ମା’ଙ୍କ ଘଟ ପରିକ୍ରମା କରାଯିବ l ଯାତ୍ରା ପରିଚାଳନା କମିଟି ସଭାପତି ତଥା ୧୫ ନଂ ଜିଲା ପରିଷଦ ସଭ୍ୟ ସନାତନ ବେହେରା, ସମ୍ପାଦକ ଭାଗ୍ୟ ରେଡି , କୋଷାଧକ୍ଷ ପି କ୍ରିଷ୍ଣା ରେଡି, ପୂର୍ବତନ ସରପଞ୍ଚ ଗୋବିନ୍ଦ ରେଡି, ଶାନ୍ତି କମିଟି ସଦସ୍ୟ କେ ରଜନୀ ରେଡ୍ଡୀ, ରାବଣା ରେଡି, ମାସେନୁ ରେଡି, ଈଶ୍ୱର ସେଠୀ, ଶିବଶଙ୍କର ସେଠୀ, ଲୋକନାଥ ବେହେରା, ପିତାମ୍ବର ବେହେରା, ଦଣ୍ଡ ବେହେରା, ଗ୍ରାମ ଠାକୁରାଣୀଙ୍କ ପୂଜକ ଲଚ୍ଛମନ ରେଡ୍ଡୀଙ୍କ ସମେତ ଗ୍ରାମର ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ଏହି ଯାତ୍ରା ମେ’ ୧ରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି l ଏଥିପାଇଁ ରାମଦୋଳି, ମିନା ବଜାର ଆଦିଙ୍କୁ ପୂର୍ବରୁ ନିମନ୍ତ୍ରଣ କରାଯାଇଛି l ଏଥିସହ ଭକ୍ତ ଓ ଦର୍ଶକଙ୍କ ମନରଞ୍ଜନ ପାଇଁ ଅପେରା ଦୁର୍ଗା ମନ୍ଦିର ନାଟକ ପରିବେଷଣ କରିବା କାର୍ଯ୍ୟକ୍ରମ ରହିଛି l ପୂର୍ବରୁ ଏହି ଯାତ୍ରା ତିନି ବର୍ଷକୁ ଥରେ ଅନୁଷ୍ଠିତ ହେଉଥିଲା । କିନ୍ତୁ କୌଣସି କlରଣରୁ ତାହା ବନ୍ଦ ହୋଇଯାଇଥିଲା l ୧୨ ବର୍ଷ ପରେ ଚଳିତ ବର୍ଷ ମା’ଙ୍କ ଯାତ୍ରା ଅନୁଷ୍ଠିତ ହେଉଥିବାରୁ କାଇଁଚପୁର ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି l ଏହି ଯାତ୍ରା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଆଇନ ଶୃଙ୍ଖଳା ନିମନ୍ତେ ପୋଲିସ ପ୍ରଶାସନର ସହାୟତା ଲୋଡିଛନ୍ତି ଗ୍ରାମବାସୀ।


