ସୁନାବେଶରେ ଝଲସିବେ ମା’ ରାମଚଣ୍ଡୀ: ଉନ୍ମୋଚନ ହେବ ‘ମା ଦରିଆ ରାଣୀ’ ପୁସ୍ତକ

ମହାକାଳପଡ଼ା,୧୪ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):ପୂର୍ବ ଉପକୂଳ ଐତିହାସିକ ଜମ୍ବୁ ଦ୍ୱୀପ ଇଲାକାର ବଙ୍ଗୋପସାଗର ତଟରେ ମା’ ଦରିଆରାଣୀ ଭାବେ ପରିଚିତ ମା’ ରାମଚଣ୍ଡୀ ବିରାଜିତ। କାହିଁ କେଉଁ ଅନାଦି କାଳରୁ ମା’ ଦଣ୍ଡାୟମାନ। କିମ୍ବଦନ୍ତୀ ଅନୁସାରେ ୧୭୩୭ ମସିହାରେ ଘଞ୍ଚ ଜଙ୍ଗଲରେ ମା’ଙ୍କ ମନ୍ଦିର ନିର୍ମାଣ କରିଥିଲେ କୁଜଙ୍ଗର ତତ୍କାଳୀନ ଷଣ୍ଢ ବଂଶୀୟ ରାଜା। ସେବେ ଠାରୁ ମା’ ରାମଚଣ୍ଡୀ କୁଜଙ୍ଗର ଅଧିଷ୍ଠାତ୍ରୀ ଦେବୀ ରୂପେ ଦିବ୍ୟମାନ। ମା’ ଙ୍କ ପୀଠରେ ବାର ପୁନେଇଁ ତେର ଯାତ ଅନୁଷ୍ଠିତ ହେଉଛି। ମୁଖ୍ୟତଃ ଝାମୁଯାତ୍ରା। ବୈଶାଖ ମାସ ପ୍ରଥମ ମହାବିଷୁବ ସଂକ୍ରାନ୍ତି ଦିନ ଝାମୁଯାତ ଅନୁଷ୍ଠିତ ହୋଇଥାଏ। ରାତି ୪.୩୦ରେ ମା’ଙ୍କ ଦ୍ୱାର ଫିଟା ପରେ ମା’ଙ୍କ ମହାସ୍ନାନ ମାଜଣା କରାଯାଏ। ମା’ଙ୍କୁ ବିଭିନ୍ନ ପାଟ ବସ୍ତ୍ର ପରିଧାନ କରାଯାଇ ଅଳଙ୍କାରରେ ଆଭୂଷଣ କରାଯାଏ। ପରେ ମା’ଙ୍କ ଦୈନଦିକ ନିତିଆନି ଭୋଗ ଲାଗି ହୁଏ। ମୁଖ୍ୟତଃ ପଣା ଭୋଗ ମା’ଙ୍କୁ ସମର୍ପଣ କରାଯାଇଥାଏ। ମଧ୍ୟାହ୍ନ ଧୂପ ପରେ କ୍ଷୀରି, ଖେଚୁଡ଼ି, ଅନ୍ନ, ଡାଲମା, ବେସର, ମହୁର ଓ ଅନ୍ୟାନ୍ୟ ମୁଖ୍ୟ ପ୍ରସାଦ ଆମିଷ ଭୋଗ ଲାଗି କରାଯାଏ। ପରେ ଅପରାହ୍ନ ଗୋଟାଏରେ ହୁରିଆ ସେବକ ସେବାୟତମାନେ ସଂକୀର୍ତ୍ତନ ମଣ୍ଡଳୀ ଘଣ୍ଟ ଘଣ୍ଟା ବାଦ୍ୟ ବାଦନରେ ଏକ ସୁସଜ୍ଜିତ ଦୋଳ ବିମାନରେ ମା’ଙ୍କ ଚଳନ୍ତି ପ୍ରତିମା ମନ୍ଦିର ଚାରି ପାଖେ ୭ ଥର ପରିକ୍ରମା କରନ୍ତି। ପରେ ମନ୍ଦିର ସମ୍ମୁଖରେ ମା’ ଙ୍କ ବିମାନ ଅବସ୍ଥାନ କରାଯାଏ। ସମ୍ମୁଖରେ ରାଉଳ ସମ୍ପ୍ରଦାୟ ସେବକ ସେବାୟତମାନେ ମସ୍ତକ ଉପରେ ମା’ଙ୍କ ଘଟ ପାଟ ରଖି ରଡ ନିଆଁରେ ସାତ ଥର ଖାଲି ପାଦରେ ପରିକ୍ରମା ବିଧି ରହିଛି। ସନ୍ଧ୍ୟାର ମା’ ଆଳତି ପରେ ରାତି ଦଶଟାରେ ବଡ ସିଂହାର ବେଶ ହୋଇ ଶୟନ ପରେ ପହଡ଼ ପଡ଼େ ବୋଲି ମୁଖ୍ୟ ଯୁବ ସେବାୟତ ସୌଭାଗ୍ୟ କୁମାର ସାମନ୍ତରାୟ କହିଛନ୍ତି। ମା’ଙ୍କ ପୀଠରେ ମା’ ରାମଚଣ୍ଡୀ ଆଞ୍ଚଳିକ ସେନା ପକ୍ଷରୁ ‘ମା ଦରିଆ ରାଣୀ’ ନାମକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ରହିଛି। ଏହି ମେଳା ୭ ଦିନ ଧରି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଟ୍ରଷ୍ଟି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

 

Dharitri – Odisha’s No.1 Odia Daily