ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରତି ଦୁଇ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି ଭବ୍ୟ ଯାତ୍ରା ପାଇଁ ଏବେଠୁ ସହର ଉତ୍ସବମୁଖର ହୋଇପଡ଼ିଛି। ଆସନ୍ତା ମେ ୪ ତାରିଖରୁ ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ମା’ଙ୍କ ଏହି ଯାତ୍ରା ଚାଲିବ। ବିଶେଷ କରି ଯାତ୍ରାର ଶେଷ ୭/୮ ଦିନ ଧରି ଲୋକଙ୍କ ମନୋରଞ୍ଜନ ଓ କଳା-ସଂସ୍କୃତିର ପ୍ରଚାର ପାଇଁ ‘ଛତ୍ରପୁର ମହୋତ୍ସବ’ ଆୟୋଜନ କରାଯିବ।
ଯାତ୍ରାର ସୁପରିଚାଳନା ନିମନ୍ତେ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ଯାତ୍ରା ଓ ମହୋତ୍ସବକୁ ଅଧିକ ଜାକଜମକରେ କରିବା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ। ଛତ୍ରପୁର ଉପଜିଲ୍ଲାପାଳ ଶିବଶିଷ ବରାଳ ଯାତ୍ରା ପରିଚାଳନା ନେଇ ରୂପରେଖ ଉପସ୍ଥାପନ କରିଥିଲେ।
ବୈଠକରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଲିଖିତ ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା କରାଯିବ। ସୁରକ୍ଷା ଦୃଷ୍ଟିରୁ ସମଗ୍ର ଅଞ୍ଚଳ ସିସି କ୍ୟାମେରା ନଜରରେ ରହିବ। ଯାତ୍ରା ପଡ଼ିଆରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର, ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀ ମୁତୟନ ରହିବେ। ପାନୀୟ ଜଳ ଯୋଗାଣ ସହ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯିବ। ଛତ୍ରପୁର, ଗଞ୍ଜାମ ଓ ରମ୍ଭା ଏନଏସି ପକ୍ଷରୁ ସଫେଇ କାର୍ଯ୍ୟ ତଦାରଖ କରାଯିବ। ମହୋତ୍ସବ ସମୟରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହା ସହ ରାମଦୋଳି, ମିନାବଜାର, ଆଲୋକସଜ୍ଜା ଓ କଳାକୁଞ୍ଜ ଶ୍ରଦ୍ଧାଳୁଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିବ।
ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ପ୍ରଧାନ, ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥ ସାରଥୀ ହାଁସଦା, ଏସଡିପିଓ ଚନ୍ଦନ କୁମାର ଘଡ଼ାଇ, ଥାନା ଅଧିକାରୀ ସାବ୍ୟସାଚି ମଲ୍ଲ, ତହସିଲଦାର ଦିବ୍ୟା ମହାନ୍ତିଙ୍କ ସମେତ ଯାତ୍ରା କମିଟିର ମ୍ୟାନେଜର ସିଏଚ. ଦୟାନନ୍ଦ ରେଡ୍ଡୀ, ସମ୍ପାଦକ ରାଜୁ ରେଡ୍ଡୀ, ଯୁବ ନେତା ଏନ. ଦୁର୍ଯ୍ୟୋଧନ ରେଡ୍ଡୀ, ସଂଜିତ କୁମାର ରାଉଳ, ସିଏଚ. ପୂର୍ଣ୍ଣ କୁମାର, ସନ୍ତୋଷ ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଟାଟା, ଆଇଆରଇଏଲ, ଗୋପାଳପୁର ବନ୍ଦର ଓ ଗ୍ରାସୀମ କମ୍ପାନୀର ଅଧିକାରୀ ମାନେ ଉପସ୍ଥିତ ଥିଲେ।
ବ୍ରହ୍ମପୁର ବୁଢୀ ଠାକୁରାଣୀ ଯାତ୍ରା ଭଳି ରାମାୟାଣାମ୍ମାଙ୍କ ଏହି ଯାତ୍ରାର ଏକ ସ୍ୱତନ୍ତ୍ର ପରିଚୟ ଥିବାରୁ ଚଳିତ ବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି।

