ଆଜିଠୁ ମା’ ଲକ୍ଷ୍ମୀଙ୍କୁ ଆରାଧନା

ଅନୁଗୋଳ,୨୮ା୧୦(ଅମିତ କୁମାର ସାମଲ): ମା’ ଲକ୍ଷ୍ମୀଙ୍କ ପୂଜା ପାଇଁ ଅନୁଗୋଳରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶନିବାରଠାରୁ ମା’ଙ୍କ ଆରାଧନା ଆରମ୍ଭ ହେବାକୁ ଥିବାରୁ ସହର ରଙ୍ଗିନ ଆଲୋକମାଳାରେ ସଜ୍ଜିତ ହୋଇଯାଇଛି। ଚଳିତବର୍ଷ ମୋଟ ୩୨ ମଣ୍ଡପରେ ପୂଜା ଆୟୋଜନ କରାଯାଇଛି। ବିଭିନ୍ନ ପୂଜା କମିଟି ପକ୍ଷରୁ ମୂର୍ତ୍ତି ଓ ସାଜସଜ୍ଜାକୁ ଗୁରୁତ୍ୱ ଦିଆଯାଇଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ସୁଉଚ୍ଚ ତୋରଣମାନ ପ୍ରସ୍ତୁତ କରାଯାଇଛି। ରାଜ୍ୟ ବାହାରର କାରିଗରମାନେ ମାସାଧିକ କାଳ ଏଠାରେ ରହି ତୋରଣମାନ ତିଆରି କରିଥିବାରୁ ଏହା ଶ୍ରଦ୍ଧାଳୁମାନଙ୍କୁ ବେଶ୍‌ ପସନ୍ଦ ଆସିବ ବୋଲି ଆଶା କରାଯାଉଛି। ସେହିପରି ଏକାଧିକ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ନଭେମ୍ବର ୮ ତାରିଖ ଯାଏ ଏହି ପୂଜା ପାଳନ ହେବାକୁ ଥିବାରୁ ଦୈନିକ ସହରରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ୯ ତାରିଖରେ ଭସାଣି ଶୋଭାଯାତ୍ରା ଆୟୋଜନ କରାଯିବ। ତେଣୁ ଆଇନଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥାକୁ ନଜରରେ ରଖି ଅନୁଗୋଳ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସହରବାସୀ ଯେପରି ପୂଜା ପାଳନ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ତାହାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ସୂଚନା ମିଳିଛି।