ଦିଗପହଣ୍ଡି,୨୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ନିମଖଣ୍ଡିପେଣ୍ଠ ପଞ୍ଚାୟତ କୁରୁବୁଲି ଗ୍ରାମରେ ମା’ କାଳୁଆ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ବୈଶାଖ ଶୁକ୍ଳ ଏକାଦଶୀ ତିଥି ସୋମବାର ଠାରୁ ଶୁଭାରମ୍ଭ ହୋଇଛି । ଗ୍ରାମରେ ବହୁ ପୁରାତନ କାଳରୁ ମା’ କାଳୁଆ ଠାକୁରାଣୀ ପୂଜା ପାଇ ଆସୁଥିଲେ ମଧ୍ୟ ମନ୍ଦିର ଅବସ୍ଥା ଜରାଜୀର୍ଣ୍ଣ ହୋଇ ପଡ଼ିଥିଲା । ଗ୍ରାମବାସୀଙ୍କ ମିଳିତ ପ୍ରଚେଷ୍ଟାରେ ମନ୍ଦିରର ପୁନରୁଦ୍ଧାର କରାଯାଇ ନୂତନ ମନ୍ଦିର ତୋଳିଥିଲେ। ମା’ ଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ଅନୁଷ୍ଠିତ ମହାଯଜ୍ଞରେ ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ସୋମବାର ସକାଳୁ ଗ୍ରାମର ୩ ଶହରୁ ଊଦ୍ଧର୍ବ ମହିଳା ଓ ପୁରୁଷ ସାମିଲ ହୋଇ ପଣ୍ଡିତ ରାଜେନ୍ଦ୍ର ଦାସଙ୍କ ପୌରାହିତ୍ୟରେ ନିକଟସ୍ଥ ଘୋଡାହାଡ ନଦୀରୁ ପୂର୍ଣକଳସ ମସ୍ତକରେ ଧରି ବିରାଟ ଶୋଭାଯାତ୍ରାରେ ବାହାରି ମନ୍ଦିରରେ ପହଞ୍ଚିବା ପରେ ଦୀକ୍ଷା ଗ୍ରହଣ , ଅଙ୍କୁରାରୋପଣ , ମଣ୍ଡଳାଧିବାସ , ନାମଯଜ୍ଞ , ଘୃତଯଜ୍ଞ ଅନୁଷ୍ଠିତ ହୋଇଥିଲା । ଯଜ୍ଞକୁଣ୍ଡ ସମ୍ମୁଖରେ କର୍ତ୍ତା ରୂପେ ସ୍ଥାନୀୟ ସରପଞ୍ଚ ସସ୍ମିତାରାଣୀ ଗୌଡ଼, ସ୍ବାମୀ ସିମାଞ୍ଚଳ ଗୌଡ ଏବଂ ସାମାଜିକକର୍ମୀ ରଞ୍ଜନ କୁମାର ପାଣିଗ୍ରାହୀ ତାଙ୍କ ସହଧର୍ମିଣୀ ପରିଣୀତା ପାଣିଗ୍ରାହୀ ଆସନ ଅଳଙ୍କୃତ କରିଥିଲେ । ଏହି ପରିପ୍ରେକ୍ଷୀରେ ମହାଯଜ୍ଞର ପ୍ରଥମ ଦିବସରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର ଯୋଗଦେଇ ମା’ ଙ୍କ ପୂଜାର୍ଚ୍ଚନା କରିବା ସହ ଗ୍ରାମବାସୀଙ୍କ ମଙ୍ଗଳ କାମନା କରି ଫେରିଥିଲେ । ଆସନ୍ତା ବୈଶାଖ ପୂର୍ଣ୍ଣମୀ ତିଥି ଶୁକ୍ରବାର ମହାଯଜ୍ଞ ପୂର୍ଣ୍ଣାହୁତି ହେବ ବୋଲି ମହୋତ୍ସବ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ପଣ୍ଡିତ ରାଜେନ୍ଦ୍ର ଦାସଙ୍କ ନେତୃତ୍ୱରେ ପୁରୋହିତ ସୁଧାଂଶୁ ଶେଖର କର , ଗୋପୀନାଥ କର , ବିଧାନ କର ମହାଯଜ୍ଞ ପରିଚାଳନା କରୁଥିବା ବେଳେ ସଭାପତି ସିମାଞ୍ଚଳ ଗୈାଡ , ସମ୍ପାଦକ ତଥା ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ , ସାମାଜିକ କର୍ମୀ ଶିବ ମହାଙ୍କୁଡ , ଭଗବାନ ଗୌଡ଼ , ଡାକ ଗୈାଡ , ସୁଶାନ୍ତ ପାଇକ , ସିମାଞ୍ଚଳ ପ୍ରଧାନ ସମେତ କମିଟି କର୍ମକର୍ତ୍ତା ବୃନ୍ଦ , ଗ୍ରାମ ଯୁବକ ସଂଘ ଏବଂ କୁରୁବୁଲି ଗ୍ରାମବାସୀ ସହଯୋଗ କରୁଥିବା ଜଣାପଡିଛି ।