ଲାଞ୍ଜିଗଡ଼,୧୩ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ମସ୍କାପଦର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଛାଞ୍ଚେଣ ରୂପେନଙ୍କ ଝାମୁଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ ପୂଜକମାନେ ମାଘ ସପ୍ତମୀରେ ୭ଟି ନୂଆ ଚାଙ୍ଗୁଡ଼ିରେ ନଦୀରୁ ବାଲି ଆଣି ବିଭିନ୍ନ ପ୍ରକାର ଶସ୍ୟ ଧାନ, ମକା, ବିରି, କୋଳଥ ଇଦ୍ୟାଦି ବିହନ ପକାଇଥିଲେ। ଏହାସହ ଝାମେରା କଣ୍ଟାରେ ଦୋଳି ତିଆରି କରିଥିଲେ। ଗଜା ହୋଇଥିବା ବିହନ ଓ କଣ୍ଟାଦୋଳିକୁ ନବମୀ ପର୍ଯ୍ୟନ୍ତ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଦିନ ମା’ ଛାଞ୍ଚେନ ରୂପେଣ କଞ୍ଚା ମାଠିଆରେ ବସି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଫାଲ୍ଗୁନ ମାସ କୃଷ୍ଣପକ୍ଷ ପ୍ରତିପଦା ଗୁରୁବାର ମା’ଙ୍କ ଝାମୁଯାତ୍ରା ସମ୍ପନ୍ନ ହୋଇଥିଲା। ସେହିଦିନ ଗ୍ରାମର ଜଣେ ବ୍ୟକ୍ତିଙ୍କ ଦେହରେ ଦେବୀ ଆବିର୍ଭାବ ହୋଇଥିଲେ। ଏହାପରେ ଦେବୀଙ୍କ କାଳିଶି ମୁଖ୍ୟ ପୀଠସ୍ଥଳୀ ଛାଞ୍ଚେଣ ରୂପେନ ପାହାଡ଼କୁ ଯିବା ସହ ସେଠାରୁ ଏକ ଶୋଭାଯାତ୍ରାରେ ଗ୍ରାମରେ ଥିବା ବାଲି ଘରକୁ ଫେରିଥିଲେ। ପ୍ରଥମେ ଗାଁର ଗୌନ୍ତିଆ ମାଲି ମାଝୀଙ୍କ ଘରକୁ ଯାଇ ପାଦ ପୂଜା ପରେ ସେଠାରୁ ଝାମୁଯାତ୍ରା ପଡିଆକୁ ଫେରିଥିଲେ। ଫେରିବା ପରେ କଣ୍ଟା ଦୋଳିରେ ବସି ଭକ୍ତମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହାପରେ ନିଆଁରେ ଦେବୀଙ୍କ କାଳିଶି ଚାଲିବା ସହ ଶକ୍ତିର ପରିଚୟ ଦେଇଥିଲେ। ଏଥିରେ ଛାଞ୍ଚେଣ ରୂପେନଙ୍କ ମୁଖ୍ୟ ପୂଜକ ଖୁଞ୍ଜା ଲୋହରା, ରାଶି ଲୋହରା ଓ ବାହୁକ ହରିଶଙ୍କର ପ୍ରଧାନୀ ସମେତ ମସ୍କାପଦର ଛାଞ୍ଚେନ ରୂପେନ ଯୁବକ ସଂଘ ସଭାପତି ଧାନ ମାଝୀ, ଉପସଭାପତି ଶୁଶାନ୍ତ ନାଏକ, ସମ୍ପାଦକ ରାଜେନ୍ଦ୍ର ନାଏକ, ସହ ସମ୍ପାଦକ ଜଗନ୍ନାଥ ପ୍ରଧାନୀ, ପୂଜା କମିଟି ସଭାପତି ନବୀନ ମାଝୀ, ସତ୍ୟନାରାୟଣ ନାଏକ, ଭୈରବ ବହିଦାର, ସୁନାଧର ବାଗ, ଗୌରାଙ୍ଗ ମାଝୀ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ। ଏଥିରେ କଳାହାଣ୍ଡି ଜିଲା ତଥା ସୀମାନ୍ତ ରାୟଗଡା, କନ୍ଧମାଳ, ବଲାଙ୍ଗୀର, ନୂଆପଡା ଓ ନବରଙ୍ଗପୁର ଜିଲାର ଭକ୍ତଙ୍କ ସମାଗମ ହୋଇଥିଲା।


