ମା’ ବିରଜାଙ୍କ ରଥଯାତ୍ରା

ଯାଜପୁର ଟାଉନ,୧୬ା୧୦(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି) : ମା’ ବିରଜା ଦେବୀଙ୍କ ଦୁର୍ଗୋତ୍ସବ ଏକାଦଶ ଦିନରେ ପାଳିତ ହୋଇଥିବା ବେଳେ ରଥଯାତ୍ରା ଓ ପାଦ ଦର୍ଶନ ଦ୍ୱିତୀୟ ଦିନ ପାଳିତ ହୋଇଛି। ଯାଜପୁର ଶାସନର ବ୍ରାହ୍ମଣମାନେ ବୈତରଣୀ ଜଳରେ ମା’ଙ୍କ ସ୍ନାନ କରାଇଥିଲେ। ମହିଳା ଓ ପୁରୁଷ ଭକ୍ତମାନେ ୨ ଧାଡ଼ିରେ ଗର୍ଭ ଗୃହକୁ ପ୍ରବେଶ କରି ପାଦ ଦର୍ଶନ କରିଥିଲେ। ସେମାନେ ମା’ଙ୍କ ପାଦ ସ୍ପର୍ଶ କରିବା ସହିତ ମା’ ବିରଜାଙ୍କ ମୁଖ ଦର୍ଶନ କରିଥିଲେ। ପାଦଦର୍ଶନ ପରେ ସାଧାରଣ ଶ୍ରଦ୍ଧାଳୁମାନେ ଦର୍ଶନ କରିବାର ସୁଯୋଗ ପାଇଥିଲେ।
ସୋମବାର ସକାଳ ୮ଟା ୩୦ ମିନିଟରୁ ୯ଟା ୩୦ ମିନିଟ ମଧ୍ୟରେ ମା’ଙ୍କର ଶାଢ଼ୀ ବେଶ, ଚନ୍ଦନ ବେଶ, ଗହଣା ବେଶ ଇତ୍ୟାଦି ଶେଷ କରାଯାଇଥିଲା। ଦିନ ୧୧ଟା ୩୦ଟାରେ ବଡ଼ ଶୃଙ୍ଗାର ବେଶ ପରେ ଗର୍ଭଗୃହକୁ ଧୂଆଯାଇ ଦିନ ୧୨ଟାରେ ଦିନ ପୂଜାର ଆୟୋଜନ କରାଯାଇଥିଲା। ଦିନ ୨ଟା ୧୫ ମିନିଟରେ ସମସ୍ତ ପୂଜା ସମାପନରେ ୨ଟା ୩୦ ମିନିଟରେ ରୋଷିଆ ସେବାୟତମାନେ ସିଂହାସନ ନିକଟକୁ ପ୍ରସାଦ କୁଡ଼ୁଆ ନେଇଥିଲେ। ପ୍ରସାଦ ଲାଗି ପରେ ଆତଳୀ, କଳସ ପୂଜା ସରିବା ପରେ ୩ଟା ୩୦ ମିନିଟରେ ପହୁଡ଼ କରାଯାଇଥିଲା। ତା’ପରେ ଆଜିଠାରୁ ରଥ ଉପରେ ମା’ ବିରଜାଙ୍କ ବିଜୟ ପ୍ରତିମା ନିକଟରେ ପୂଜା ଓ ନୈବେଦ୍ୟ କରାଯାଇଛି ା ୪ଟା ୩୦ ମିନିଟରେ ପହୁଡ଼ ଖୋଲା ଯିବା ପରେ ଅପେକ୍ଷାରେ ଥିବା ଭକ୍ତମାନେ ମା’ଙ୍କୁ ଦର୍ଶନ କରିଥିଲେ। ଅପରାହ୍ନ ୪ଟା ୪୫ ମିନିଟରେ ରଥ ଯାତ୍ରାର ଆୟୋଜନ କରାଯାଇଥିଲା। ଗର୍ଭ ଗୃହରୁ ମା’ଙ୍କ ଆର୍ଶା ଦଣ୍ଡକୁ ଆର୍ଶା ପାଳିଆ ସେବାୟତ ଆଣିବା ପରେ ସିଂହଦ୍ୱାରରେ ଉପସ୍ଥିତ ରହିଥିବା ଛତ୍ର, ତରାଶ ସାମିଲ ହୋଇଥିଲେ। ଅପରାହ୍ନ ୫ଟାରେ ଆରମ୍ଭ କରାଯାଇଥିବା ରଥଯାତ୍ରା ୬ଟା ୫ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା। ୬ଟା ୧୫ ମିନିଟରେ ରଥ ଚାଳନା ବନ୍ଦ ପରେ ରଥରୁ ଆର୍ଶା,ଛତ୍ର, ତରାଶ, ମଶାଲ ଅବତରଣ କରାଯାଇ ଆର୍ଶା ଦଣ୍ଡକୁ ମା’ଙ୍କ ସିଂହାସନ ନିକଟକୁ ନିଆଯାଇଥିଲା। ଆଜି ରଥକୁ ଏକ ବେଢ଼ା ପରିକ୍ରମା କରାଯାଇ ପୂର୍ବ ଦକ୍ଷିଣ କୋଣରେ ରଖାଯାଇଛି। ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା ା