୧୭ରୁ ମା’ବିରଜାଙ୍କ ରଥଯାତ୍ରା

ଯାଜପୁର ଟାଉନ, ୧୩।୧୦ (ଡି.ଏନ୍‌.ଏ.): ଯାଜପୁରର ଅଧିଷ୍ଠାତ୍ରୀ ମା’ ବିରଜାଙ୍କ ରଥଯାତ୍ରା ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ। ରଥଯାତ୍ରା ସପକ୍ଷରେ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ସୋମବାର ଜିଲା ପ୍ରଶାସନ ଓ ମନ୍ଦିର ସେବାୟତଙ୍କ ଉପସ୍ଥିତିରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କୋଡିଡ୍‌-୧୯ କଟକଣା ମାନି ରଥଯାତ୍ରା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ରଥଯାତ୍ରା ହେବ। ଏହା ପୂର୍ବରୁ ୩ଟି ପର୍ଯ୍ୟାୟରେ ସମସ୍ତ ସେବାୟତଙ୍କ କରୋନା ଟେଷ୍ଟ କରାଯିବ। ରଥଯାତ୍ରା ସମୟରେ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ଲାଗୁ ହେବ। କେବଳ ପୋଲିସ ଓ ସେବାୟତ ମା’ଙ୍କ ରଥ ଟାଣିବେ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି ଓ ଶାନ୍ତିଶୃଙ୍ଖଳାରେ ରଥଯାତ୍ରା ଶେଷ କରିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଏସ୍‌ପି ଚରଣ ସିଂ ମୀନା କହିଛନ୍ତି।