Categories: ବାଣିଜ୍ୟ

ଏମ୍‌.ରାଜେଶ୍ୱର ରାଓ ଆର୍‌ବିଆଇ ଡେପୁଟି ଗଭର୍ନର

ମୁମ୍ବାଇ: ଏମ୍‌.ରାଜେଶ୍ୱର ରାଓଙ୍କୁ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଡେପୁଟି ଗଭର୍ନର ଭାବେ ସରକାର ବୁଧବାର ନିଯୁକ୍ତି ପ୍ରଦାନ କରିଛନ୍ତି। ରିଜର୍ଭ ବ୍ୟାଙ୍କରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଇଡି)ଙ୍କ ମଧ୍ୟରୁ ସେ ସବୁଠାରୁ ବରିଷ୍ଠ। ଏନ୍‌.ଏସ୍‌.ବିଶ୍ୱନାଥନଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ସ୍ବାସ୍ଥ୍ୟଗତ କାରଣରୁ କାର୍ଯ୍ୟକାଳ ଶେଷ ହେବାର ୩ ମାସ ପୂର୍ବରୁ ବିଶ୍ୱନାଥନ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ରାଓଙ୍କ ନିଯୁକ୍ତିକୁ ଚୂଡ଼ାନ୍ତ କରିଥିବା ଜଣାପଡିଛି। କାର୍ମିକ ଏବଂ ତାଲିମ ବିଭାଗ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୧୬ ନଭେମ୍ବରରେ ରାଓ ଇଡି ଭାବେ ପଦୋନ୍ନତି ପାଇଥିଲେ। ରିଜର୍ଭ ବ୍ୟାଙ୍କର ଋଣ ପରିଚାଳନା ବିଭାଗ, ଅନ୍ତର୍ଜାତୀୟ ବିଭାଗ ଏବଂ ବିତ୍ତ ବଜାର ପରିଚାଳନା ବିଭାଗର ଦାୟିତ୍ୱରେ ସେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି। ସେ ୧୯୮୪ରେ ରିଜର୍ଭ ବ୍ୟାଙ୍କରେ ଯୋଗଦେଇଥିଲେ। ରାଓ ଅର୍ଥନୀତିରେ ସ୍ନାତକ ଏବଂ କୋଚିନ ବିଶ୍ୱବିଦ୍ୟାଳୟରୁ ଏମ୍‌ବିଏ ଡିଗ୍ରୀ ହାସଲ କରିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କର ବିଭିନ୍ନ ବିଭାଗରେ ସେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ସେ ରିସ୍କ ପରିଚାଳନା ବିଭାଗ ଦାୟିତ୍ୱରେ ମଧ୍ୟ କାର୍ଯ୍ୟ କରିଥିଲେ। ରିଜର୍ଭ ବ୍ୟାଙ୍କର ନୂଆଦିଲ୍ଲୀ, ଅହମ୍ମଦାବାଦ, ହାଇଦ୍ରାବାଦ, ଚେନ୍ନାଇ ଭଳି କାର୍ଯ୍ୟାଳୟଗୁଡିକରେ ସେ ବ୍ୟାଙ୍ଗିଙ୍ଗ୍‌ ଅମ୍ବୁଡ୍‌ସମ୍ୟାନ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଆର୍‌ବିଆଇରେ ୪ ଡେପୁଟି ଗଭର୍ନର ରହିବାର ନିୟମ ରହିଛି। କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରୁ ୨ ଜଣ, ଜଣେ ବାଣିଜି୍ୟକ ବ୍ୟାଙ୍କର ଏବଂ ଅନ୍ୟ ଜଣେ ଅର୍ଥନୀତିଜ୍ଞ ମୁଦ୍ରାନୀତି କମିଟି ଦାୟିତ୍ୱରେ କାର୍ଯ୍ୟ ପାଇଁ ନିଯୁକ୍ତି ପାଇଥାନ୍ତି। ରିଜର୍ଭ ବ୍ୟାଙ୍କରେ ଅନ୍ୟ ୩ ଡେପୁଟି ଗଭର୍ନର ହେଲେ ବି.ପି. କାନୁନ୍‌ଗୋ, ଏମ୍‌.କେ. ଜୈନ ଏବଂ ମାଇକେଲ ଦେବବ୍ରତ ପାତ୍ର।

Share