Categories: ଜାତୀୟ

ଜେଲ୍‌ରେ ଦେଢ ଲକ୍ଷ ଟଙ୍କାର ଚପଲ ପିନ୍ଧୁଛନ୍ତି ସୁକେଶ

ନୂଆଦିଲ୍ଲୀ,୨୩।୨: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ମାଣ୍ଡୋଲି ଜେଲରେ ଥିବା ଗ୍ୟାଙ୍ଗଷ୍ଟର ସୁକେଶ ଚନ୍ଦ୍ରଶେଖରଙ୍କ କୋଠରୀରେ ଚଢାଉ କରାଯାଇଛି। ଏହି ସମୟରେ ଅଧିକାରୀମାନେ ତାଙ୍କ କୋଠରୀରେ ଅନେକ ବିଳାସପୂର୍ଣ୍ଣ ଜିନିଷ ପାଇଛନ୍ତି। ସେଲର ସିସିଟିଭି ଫୁଟେଜରେ ମଧ୍ୟ ସୁକେଶ କାନ୍ଦୁଥିବା ଦେଖିବାକୁ ମିଳିଛି।
ଏହି ଚଢାଉର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଅଧିକାରୀମାନେ ସୁକେଶଙ୍କ ଜେଲ୍‌ କୋଠରୀକୁ ଯାଞ୍ଚ୍‌ କରୁଥିବା ଦେଖିବାକୁ ମିଳିଛି। ଏହି ଚଢାଉ ସମୟରେ ସୁକେଶଙ୍କ କୋଠରୀରୁ ୧.୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଣ୍ଡେଡ ଚପଲ ଏବଂ ୮୦ ହଜାର ଟଙ୍କା ମୂଲ୍ୟର ଦୁଇଟି ଜିନ୍ସ ମଧ୍ୟ ମିଳିଛି।
ସୂଚନାଯୋଗ୍ୟ, ୨୦୦ କୋଟି ଟଙ୍କା ଠକେଇ ମାମଲାରେ ସୁକେଶ ଚନ୍ଦ୍ରଶେଖରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ପୂର୍ବରୁ ସୁକେଶଙ୍କୁ ତିହାର ଜେଲରେ ରଖାଯାଇଥିଲା କିନ୍ତୁ ପରେ ମାଣ୍ଡୋଲି ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ଗତ ଫେବୃଆରୀ ୧୬ରେ, ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏକ ନୂତନ ମାମଲାରେ ସୁକେଶଙ୍କୁ ଗିରଫ କରିଥିଲା। ରିଲିଗର୍‌ ଏଣ୍ଟରପ୍ରାଇଜେସ ଲିମିଟେଡ୍‌ର ପୂର୍ବତନ ପ୍ରମୋଟର ମାଲବିନ୍ଦର ସିଂଙ୍କ ସ୍ତ୍ରୀ ଆଦିତି ସିଂଙ୍କୁ ପ୍ରତାରଣା ମାମଲାରେ ଏହି ଗିରଫ କରାଯାଇଥିଲା। ଅଭିଯୋଗ ହୋଇଛି ଯେ ସୁକେଶ ଆଦିତିଙ୍କୁ ୩.୫ କୋଟି ଟଙ୍କା ଠକିଥିଲେ।
ସୁକେଶ ଚନ୍ଦ୍ରଶେଖରଙ୍କ ନାମ ମଧ୍ୟ ଅନେକ ବଲିଉଡ୍‌ ଅଭିନେତ୍ରୀଙ୍କ ସହ ଜଡିତ ଥିଲା। ଇଡି ସହିତ ପଚରାଉଚରା ବେଳେ ସେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କ ସହ ସମ୍ପର୍କ ବିଷୟରେ ପ୍ରକାଶ କରିଥିଲେ। ଏହା ବ୍ୟତୀତ ସୁକେଶଙ୍କ ନାମ ନୋରା ଫତେହି ସହିତ ମଧ୍ୟ ଜଡିତ ଥିଲା।

Share