ଇମ୍ରାନ୍‌ଙ୍କୁ ପାଗଳ କରିଛି କ୍ଷମତା ଲୋଭ…

ଇସଲାମାବାଦ୍‌, ୨୩।୮ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ନିକଟରେ ତାଙ୍କ ବିରୋଧରେ ଆତଙ୍କବାଦ ବିସ୍ତାର କରିଥିବା ଅଭିଯୋଗ ହୋଇଛି। ଏବେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଇମ୍ରାନଙ୍କ ନାମ ନ ନେଇ ତାଙ୍କ ବିରୋଧରେ ମନ୍ତବ୍ୟ ଦେଇଛନ୍ତି। ମଙ୍ଗଳବାର ଜରଦାରୀ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କ୍ଷମତା ପ୍ରତି ଥିବା ଲୋଭ ତାଙ୍କୁ ପାଗଳ କରିଦେଇଛି।

ଏହି କ୍ଷମତା ଭୋକିଲା ବ୍ୟକ୍ତି ଆଇନଠାରୁ ଉର୍ଦ୍ଧ୍ୱରେ ଅଛନ୍ତି କି ନାହିଁ ତାହା ନ୍ୟାୟପାଳିକା ଦେଖିବା ଉଚିିତ ବୋଲି ସେ କହିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆସିଫ ଅଲି ଜରଦାରୀ ସିନ୍ଧର ମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ କହିଛନ୍ତି ଏହି ଜରୁରୀକାଳୀନ ପରିସ୍ଥିତିରେ ସମସ୍ତ ପ୍ରଦେଶ ଆମକୁ ଦେଖୁଛନ୍ତି। କିନ୍ତୁ ଜଣେ ବ୍ୟକ୍ତି ଅଛନ୍ତି, ଯାହାର କ୍ଷମତା ପ୍ରତି ଲୋଭ ତାଙ୍କୁ ଦିନକୁ ଦିନ ପାଗଳ କରିଦେଉଛି। ପିଟିଆଇ ମୁଖ୍ୟ ଇମ୍ରାନଙ୍କ ନାମ ନଦେଇ ସେ ସେନା, ପୋଲିସ ଏବଂ ଜଣେ ମହିଳା ମାଜିଷ୍ଟ୍ରେଟଙ୍କୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମଧ୍ୟ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି।

ପିପିପି ଉପାଧ୍ୟକ୍ଷ ଆସିଫ ଅଲି ଜରଦାରୀ ଆହୁରି କହିଛନ୍ତି ଏହି ପଗଳ ବ୍ୟକ୍ତି ପ୍ରତିଦିନ ଆମ ସେନାକୁ ସମାଲୋଚନା କରୁଛନ୍ତି। ଆମ ସୈନ୍ୟ ଆତଙ୍କବାଦୀଙ୍କ ସହ ଲଢୁଛନ୍ତି ଏବଂ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରୁଛନ୍ତି। ଏହାପୂର୍ବରୁ ସେ କହିଥିଲେ ଯେ ସମସ୍ତ ପ୍ରଦେଶ ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ସେ ସବୁ ଦଳକୁ ରାଜନୀତିଠାରୁ ଦୂରରେ ରହିବାକୁ ଏବଂ ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି।

Share