୮ ଦିନରେ ଟଙ୍କା ୧୦ ଗୁଣ କରିବାର ପ୍ରଲୋଭନ: ଦୁଇ ଭଉଣୀଙ୍କଠାରୁ ୨୦ ହଜାର ଟଙ୍କା ନେଇ ଠକେଇ ଅଭିଯୋଗ

ପାଟଣା, ୧୯/୧୦ (ବୀର କିଶୋର ଦାଶ): ମାତ୍ର ୮ ଦିନରେ ଟଙ୍କା ୧୦ ଗୁଣ କରି ଫେରାଇବାର ପ୍ରଲୋଭନ ଦେଖାଇ ଦୁଇ ଭଉଣୀଙ୍କଠାରୁ ୨୦ ହଜାର ଟଙ୍କା ନେଇ ଫେରାଇ ନ ଥିବା ଅଭିଯୋଗ ହୋଇଛି। ଏ ନେଇ କେନ୍ଦୁଝର ଜିଲା  ପାଟଣା ଥାନା ଅନ୍ତର୍ଗତ ଟାଙ୍ଗରପଡ଼ା ପଞ୍ଚାୟତର ମୂଷାପଡ଼ା ଗ୍ରାମର ନରୋତ୍ତମ ନାଏକଙ୍କ ନାମରେ ସୋମବାର ପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଅଭିଯୋଗକାରିଣୀ ଦୁଇ ଭଉଣୀ ହେଲେ ପାଟଣା ବ୍ଲକ୍‌ ଚାକୁଣ୍ଡାପାଳ ପଞ୍ଚାୟତ ଜଡ଼ିଚାତର ଗ୍ରାମର ପ୍ରେମଲତା ନାଏକ ଏବଂ ମୟୂରଭଞ୍ଜ ଜିଲା  ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେଶଡିହା ଗ୍ରାମର ରଞ୍ଜିତା ନାଏକ।

ଅଭିଯୋଗ ଅନୁଯାୟୀ, ଗତ ଜୁନ୍‌ ମାସରେ ନରୋତ୍ତମ ପ୍ରେମଲତାଙ୍କ ଘରକୁ ଯାଇ ୫ ହଜାର ଟଙ୍କା ଦେଲେ ୮ ଦିନ ମଧ୍ୟରେ ୫୦ ହଜାର ଟଙ୍କା ଫେରାଇବେ ବୋଲି ପ୍ରଲୋଭନ ଦେଖାଇଥିଲେ। ଏହି କଥାରେ ବିଶ୍ୱାସ କରି ପ୍ରେମଲତା ନିଜ ସାନ ଭଉଣୀ ରଞ୍ଜିତାଙ୍କୁ ଏ ବିଷୟରେ ଜଣାଇଥିଲେ। ପରେ ଦୁଇ ଭଉଣୀ ମୂଲମଜୁରି କରି ସଞ୍ଚୟ କରିଥିବା ୧୦ ହଜାର ଟଙ୍କା ଲେଖାଏଁ, ମୋଟ ୨୦ ହଜାର ଟଙ୍କା ନରୋତ୍ତମଙ୍କୁ ଦେଇଥିଲେ।

ଟଙ୍କା ନେବା ସମୟରେ ଦୁଇ ଭଉଣୀଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଫେରାଇବେ ବୋଲି ନରୋତ୍ତମ ପ୍ରତିଶ୍ରୁତି ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି। ତେବେ ଟଙ୍କା ନେବା ପରେ ସେ ଆଉ ଧରାଛୁଆଁ ଦେଇ ନ ଥିଲେ। ଏପରିକି ଦୁଇ ଭଉଣୀଙ୍କ ଫୋନ୍‌ ମଧ୍ୟ ଉଠାଉ ନ ଥିଲେ। କେବେ ଭେଟ ହେଲେ ଟଙ୍କା ଫେରାଇବେ ବୋଲି କହି ବାରମ୍ବାର ସମୟ ଗଡ଼ାଇ ଚାଲିଥିଲେ। ଶେଷରେ ନ୍ୟାୟ ପାଇଁ ଦୁଇ ଭଉଣୀ ପାଟଣା ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଏ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡକାଯାଇ ତଦନ୍ତ ଜାରି ରହିଛି ବୋଲି ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ କହିଛନ୍ତି।

Dharitri – Odisha’s No.1 Odia Daily

Share