ଲୁଇଜ୍ ଇନାସିଓ ଲୁଲା ଦା ସିଲ୍ଭା ୪ର୍ଥ ଥର ପାଇଁ ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ୮୦ ବର୍ଷୀୟ ଲୁଲା ବାମପନ୍ଥୀ ଟାଣୁଆ ନେତା ଭାବେ ଜଣାଶୁଣା। ସେ ଦକ୍ଷିଣପନ୍ଥୀ ନେତା ୪୫ ବର୍ଷୀୟ ଫ୍ଲାଭିଓ ବୋଲ୍ସୋନାରୋଙ୍କୁ ପରାସ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଫ୍ଲାଭିଓ ହେଉଛନ୍ତି ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲ୍ସୋନାରୋଙ୍କ ପୁତ୍ର। ଫ୍ଲାଭିଓଙ୍କ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସମର୍ଥନ ଓ ଦକ୍ଷିଣପନ୍ଥୀ ରଣକୌଶଳ ପ୍ରୟୋଗ ସତ୍ତ୍ୱେ ବ୍ରାଜିଲବାସୀ ଲୁଲାଙ୍କୁ ବିପୁଳ ଭୋଟରେ ଜିତାଇବା ଏକଚ୍ଛତ୍ରବାଦ ଚିନ୍ତାଧାରା ପୋଷଣ କରୁଥିବା ନେତାଙ୍କୁ ହଟେଇବା ଦିଗରେ ଏହା ଏକ ଶକ୍ତ ବାର୍ତ୍ତା ଦେଇଛି। ସ୍ମରଣ କରାଇ ଦିଆଯାଇପାରେ ଯେ, ଫ୍ଲାଭିଓଙ୍କ ପିତା ଜୈରଙ୍କ ଶାସନକାଳରେ ବ୍ରାଜିଲବାସୀ ସମ୍ମୁଖୀନ ହୋଇଥିବା ସମସ୍ୟା ଓ ବିଶେଷକରି ପରିବେଶ ପ୍ରତି ତାଙ୍କ ଅବିଚାରଭାବକୁ ଭୁଲିନାହାନ୍ତି। ତେବେ ପରାଜୟକୁ ଫ୍ଲାଭିଓ କିମ୍ବା ତାଙ୍କ ପିତା ସ୍ବୀକାର କରିବାକୁ ରାଜିନାହାନ୍ତି। ଜଣାପଡ଼ୁଛି ଯେ, ଏବେ ବିଶ୍ୱରେ ଯେଉଁମାନେ ନିର୍ବାଚନ ହାରୁଛନ୍ତି ସେମାନେ ପରାଜୟକୁ ସହଜରେ ଗ୍ରହଣ କରୁନାହାନ୍ତି।
ଭାରତ ପରିପ୍ରେକ୍ଷୀରେ ଦେଖିଲେ ଏଠାକାର ଶାସକ ଦୀର୍ଘବର୍ଷ ଶାସନରେ ରହିବାକୁ ଚାହୁଁଥିବାରୁ ଜିତିବା ପାଇଁ ସବୁ ଫନ୍ଦିଫିକର କରୁଛନ୍ତି। ସେଥିପାଇଁ ଭୋଟର ତାଲିକାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ଆଣି ଅନେକ ମତଦାତାଙ୍କୁ କାଟି ଚାଲିଛନ୍ତି । ମହାରାଷ୍ଟ୍ର ଭଳି ରାଜ୍ୟରେ ସେଠାକାର ବିଧାନସଭା ନିର୍ବାଚନ ପୂର୍ବରୁ କରାଯାଇଥିବା ଏସ୍ଆଇଆର୍ ମାଧ୍ୟମରେ ପ୍ରାୟ ୩୩ ପ୍ରତିଶତ ଭୋଟର ଅର୍ଥାତ୍ ଏକତୃତୀୟାଂଶ ମତଦାତାଙ୍କୁ ବାଦ୍ ଦିଆଯାଇ ନିର୍ବାଚନ କରାଯାଇଥିଲା ବୋଲି ଜଣାପଡ଼ିଛି। ଏହିଭଳି ଏସ୍ଆଇଆର୍ ମାଧ୍ୟମରେ ଭାଜପା ଜିତୁଥିବା ବିଷୟ ୨୦୨୯ ପାର୍ଲାମେଣ୍ଟ ନିର୍ବାଚନର ଯଥେଷ୍ଟ ପୂର୍ବରୁ ପର୍ଦ୍ଦାଫାଶ ହୋଇଥିବାରୁ ଅନେକ ତ୍ରୁଟି ପଦାକୁ ଆସୁଛି। ଅନ୍ୟପଟେ ଭାଜପା ସମର୍ଥକମାନେ ତେଲଙ୍ଗାନା, କର୍ନାଟକ, ତାମିଲନାଡୁ, କେରଳ ଭଳି ରାଜ୍ୟର ଉଦାହରଣ ଦେଇ ବିରୋଧୀଙ୍କ ପ୍ରଶ୍ନକୁ କାଟିବା ପାଇଁ ଯୁକ୍ତି କରୁଛନ୍ତି। ଏହି ଲଢ଼େଇରେ ଆମ୍ ଆଦ୍ମୀ ପାର୍ଟି (ଆପ୍) ଭଳି ରାଜନୈତିକ ଦଳ ଯୋଗ ଦେଉନାହାନ୍ତି। ତାହାର କାରଣ ହୋଇପାରେ ଯେ, ୨୦୨୭ରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ରାଜ୍ୟରେ ଶାସନ କରୁଥିବା ଆପ୍କୁ ମୁଖ୍ୟତଃ କଂଗ୍ରେସ ଏବଂ ଅକାଳୀ ଦଳକୁ ସାମ୍ନା କରିବାକୁ ପଡ଼ିବ। ସେଠାରେ ଭାଜପାର ନେତା ନାହାନ୍ତି କିମ୍ବା ତାହା ଓଡ଼ିଶା ଭଳି ବିକଳ୍ପ ଦଳ ମଧ୍ୟ ନୁହେଁ। ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀ ଅନିନ୍ଦିତା ମିତ୍ର, ଆଇଏଏସ୍ଙ୍କୁ ନିର୍ବାଚନ କମିଶନଙ୍କ ତରଫରୁ ପ୍ରଶଂସା କରାଯାଇଛି। କାରଣ ଦାୟିତ୍ୱରେ ଥିବା ଏସ୍ଆଇଆର୍ ସମ୍ପର୍କିତ ତାଙ୍କ କାର୍ଯ୍ୟ ଅତି ଶୀଘ୍ର ସରିଯାଇଥିଲା। ସେଠାରେ ଯେହେତୁ ଭାଜପାର ତୃଣମୂଳ କର୍ମୀ ନାହାନ୍ତି, ତେଣୁ ଏସ୍ଆଇଆର୍ରେ ଅଧିକ ନାମ କାଟିବା ପାଇଁ କୌଣସି ପଦ୍ଧତି ମିଳି ନ ଥିଲା। ଏହା ଦକ୍ଷିଣ ଭାରତର ଅନେକ ରାଜ୍ୟରେ ସମାନ ରୂପ ଧାରଣ କରିଛି। ତେଣୁ ଭାରତର କେତେକ ବଛା ରାଜ୍ୟ ଯଥା ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ଏସ୍ଆଇଆର୍ର କୋପ ବୁଝିବା ସମ୍ଭବପର ହୋଇଛି। ଏଥିରୁ ବୁଝିବାକୁ ହେବ ଯେ କ୍ଷମତାରେ ଥିବା ବ୍ୟକ୍ତିମାନେ ସବୁ ଦେଶରେ ଏକ ପ୍ରକାର ମନୋଭାବ ପୋଷଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଫ୍ରାନ୍ସକୁ ସଦ୍ୟ ଦୃଷ୍ଟାନ୍ତ ଭାବେ ନିଆଯାଇପାରେ।
ସେପ୍ଟେମ୍ବର ୨୦୨୬ ମଧ୍ୟବର୍ତ୍ତୀ ସମୟରେ ଶିକ୍ଷା ବ୍ୟବସ୍ଥାରେ ଅବନତି ଓ ଶିକ୍ଷକ ଅଭାବ ବିରୋଧରେ ଛାତ୍ରମାନଙ୍କ ବିରୋଧ ପ୍ରଦର୍ଶନରୁ ଆରମ୍ଭ ହୋଇଥିବା ପ୍ରତିବାଦ ଏବେ ସମଗ୍ର ଫ୍ରାନ୍ସକୁ ଆକ୍ତାମାକ୍ତା କରିଦେଇଛି। ଅତ୍ୟଧିକ ଦରବୃଦ୍ଧି, ଜୀବନଯାପନ ଖର୍ଚ୍ଚ ବଢ଼ିବାଠାରୁ ଆରମ୍ଭ କରି ସରକାରୀ ନୀତିକୁ ଖୋଲାଖୋଲି ବିରୋଧ କରାଯାଉଛି। ରାଜଧାନୀ ପ୍ୟାରିସ ସମେତ ଦେଶର ବିଭିନ୍ନ ସହରରେ ଲୋକେ ରାସ୍ତାକୁ ଓହ୍ଲାଇ ପୋଡ଼ାଜଳା କରିବା ସହ ବଜାରରୁ ଲୁଟପାଟ କରୁଥିବା ଦେଖାଯାଉଛି। ଆନ୍ଦୋଳନକୁ ଦମନ କରିବା ପାଇଁ ସୁରକ୍ଷାକର୍ମୀମାନେ ୧୩୦୦ରୁ ଅଧିକ ଲୋକଙ୍କୁ ଗିରଫ କରିଛନ୍ତି। ଫ୍ରାନ୍ସ ଅର୍ଥନୀତି ଅତି ଦୁର୍ବଳ ଅବସ୍ଥାକୁ ଚାଲିଯାଇଥିବାରୁ ସେଠାକାର ସର୍ବସାଧାରଣ ଋଣ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧୧୯ ପ୍ରତିଶତରେ ପହଞ୍ଚତ୍ୟାଇଛି। ଇରାନ୍ ଓ ଆମେରିକା ଯୁଦ୍ଧ ସ୍ଥିତି ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ଫ୍ରାନ୍ସ ଅର୍ଥନୀତିକୁ ବଡ଼ କ୍ଷତି ପହଞ୍ଚାଇଛି। ଏଭଳି ସ୍ଥଳେ ରାଜନୈତିକ ଅବିଶ୍ୱାସ ଅର୍ଥନୈତିକ ସଙ୍କଟକୁ ବିସ୍ଫୋରକ ସ୍ତରକୁ ନେଇଯାଇଛି। ଇମାନୁଏଲ ମାକ୍ରଁଙ୍କ ଏକ ଦଶନ୍ଧିର ରାଷ୍ଟ୍ରପତିତ୍ୱ ଜନସାଧାରଣଙ୍କ ମଙ୍ଗଳରେ ଆସି ନ ଥିବାରୁ ତାଙ୍କ ବିରୋଧରେ ସାଧାରଣରେ ଅସନ୍ତୋଷ ବଢ଼ିଛି। ମାକ୍ରଁ ଘୋର ବାମପନ୍ଥୀ କିମ୍ବା ଦକ୍ଷିଣପନ୍ଥୀ ଭିତରେ ଆସି ନ ଥାଆନ୍ତି ଓ ସେ ଜଣେ ଉଦାରବାଦୀ ବୋଲି ନିଜକୁ ଅଭିହିତ କରୁଥିଲେ ମଧ୍ୟ ତାଙ୍କ କାର୍ଯ୍ୟ ଦେଶବାସୀଙ୍କ ଆଶା ପୂରଣ କରିବାରେ ଅସଫଳ ହୋଇଥିବା ଏବର ପ୍ରତିବାଦରୁ ବୁଝାପଡ଼ୁଛି। ଆସନ୍ତା ଏପ୍ରିଲରେ ଫ୍ରାନ୍ସରେ ନିର୍ବାଚନ ଅଛି। ସେଠାରେ ଦକ୍ଷିଣପନ୍ଥୀ ପ୍ରାର୍ଥୀ ମାରିନ୍ ଲ’ ପେନ୍ ଓ ବାମପନ୍ଥୀ ନେତା ରାଫେଲ ଗ୍ଲୁକ୍ସମ୍ୟାନ ଏହି ଅସନ୍ତୋଷର ସୁଯୋଗ ନେଇପାରନ୍ତି।
ସେହିଭଳି ଭାରତୀୟମାନେ ଦେଇଥିବା ମେଲୋଡି ଚକୋଲେଟ ଖାଉଥିବା ଇଟାଲୀ ପ୍ରଧାନମନ୍ତ୍ରୀ ଜିଓରଜିଆ ମେଲୋନି ତାଙ୍କ ବନ୍ଧୁମାନଙ୍କ ଭଳି ପ୍ରବଳ ବିରୋଧର ସମ୍ମୁଖୀନ ହେଲେଣି। ଅନୁରୂପ ଭାବେ ସ୍ପେନ୍, ପର୍ତ୍ତୃଗାଲ ଓ ଆଲବାନିଆରେ ମଧ୍ୟ ଏହାର ପ୍ରଭାବ ପଡ଼ିଲାଣି। କହିବାକୁ ଗଲେ ନୀତି ନିର୍ଦ୍ଧାରକମାନଙ୍କ ଭୁଲ୍ ନିଷ୍ପତ୍ତି ଆର୍ଥିକ ଶୃଙ୍ଖଳାକୁ ବିଗାଡ଼ି ଦେଉଛି। ଦୀର୍ଘ ସମୟ ଶାସନରେ ରହିବା ପାଇଁ ଅର୍ଥନୈତିକ ବ୍ୟବସ୍ଥାରେ ବିରାଦରି ଚାଲିଲେ ତାହା ସାମୂହିକ ଉନ୍ନତିରେ ସହାୟକ ହୋଇ ନ ଥାଏ।