Categories: ଜାତୀୟ

ରାମଚରିତମାନସର ପୃଷ୍ଠା ଜଳାଇବା ମାମଲାରେ ୫ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ,୩୦।୧: ଉତ୍ତରପ୍ରଦେଶ ଲକ୍ଷ୍ନୌର ପିଜିଆଇ ପୋଲିସ ରାମଚରିତମାନସର ପୃଷ୍ଠା ଚିରି ପୋଡ଼ି ଦେବା ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ପିଜି ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ସତ୍ୟେନ୍ଦ୍ର କୁଶୱା, ଯଶପାଲ ସିଂ, ଦେବେନ୍ଦ୍ର ପ୍ରତାପ ଯାଦବ, ସୁରେଶ ସିଂ ଯାଦବ, ମହମ୍ମଦ ସଲିମ। ଏହି ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରି ଜେଲକୁ ପଠାଇଛି। ରାମଚରିତମାନସର ପୃଷ୍ଠା ଚିରିବା ଏବଂ ଜାଳିବା ଭିଡିଓ ଭାଇରାଲ ହୋଇଥିବା ବେଳେ ଉକ୍ତ ଭିଡିଓକୁ ଆଧାର କରି ଏହି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ରାଜଧାନୀର ବୃନ୍ଦାବନ ଅଞ୍ଚଳରେ ଅଖିଲ ଭାରତୀୟ ଓବିସି ମହାସଭା ନାମକ ଏକ ସଂଗଠନର ସଦସ୍ୟମାନେ ରାମଚରିତମାନସର ପୃଷ୍ଠା ଜାଳିଥିବା ଅଭିଯୋଗରେ ରବିବାର ଲକ୍ଷ୍ନୌ ପୋଲିସ ୧୦ ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା। ଏହି ପ୍ରସଙ୍ଗରେ ପୋଲିସ କହିଛି ଯେ, ଭାଜପା ନେତା ସତ୍‌ନାମ ସିଂ ଲାଭିଙ୍କ ଅଭିଯୋଗରେ ଏହି ଏଫ୍‌ଆଇଆର୍‌ ରୁଜୁ କରାଯାଇଛି। ପିଜିଆଇ ପୋଲିସ ଷ୍ଟେସନରେ ୧୦ଜଣ ନାଁରେ ଏବଂ ବହୁ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଯଦିଓ ପୋଲିସ ଏପର୍ଯ୍ୟନ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଅନ୍ୟମାନଙ୍କର ଛାନଭିନ୍‌ ଜାରି ରଖିଛି। ତେବେ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ବିଭାଗ ଅଧୀନରେ ଏହି ଅଭିଯୁକ୍ତଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଥିବା ଜଣାପଡ଼ିଛି।

Share