ଫଗଓ୍ବାରା,୨୭ା୯: ପଞ୍ଜାବର ଫଗଓ୍ବାରାସ୍ଥିତ ଲଭ୍ଲି ପ୍ରଫେସନାଲ ୟୁନିଭର୍ସିଟି (ଏଲ୍ପିୟୁ)ର ଜଣେ ଛାତ୍ରୀଙ୍କୁ କ୍ୟାମ୍ପସ୍ ଭିତରେ ଜଣେ ବାହାର ଲୋକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଶନିବାର ବିଳମ୍ବିତ ରାତିରୁ ଛାତ୍ରୀଛାତ୍ର କ୍ୟାମ୍ପସ୍ରେ ବିକ୍ଷୋଭ ପ୍ରଦର୍ଶନ କରିବା ସାଙ୍ଗକୁ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଦିଲ୍ଲୀ-ଅମୃତସର ଜାତୀୟ ରାଜପଥକୁ ସେମାନେ ଅବରୋଧ କରିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ଆନ୍ଦୋଳନକାରୀ ଛାତୀଛାତ୍ରଙ୍କ ଅଭିଯୋଗକ୍ରମେ ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ନାମରେ ବଳାତ୍କାର ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଗଠନ କରାଯାଇଥିବା ପୋଲିସ କହିଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ବହୁସଂଖ୍ୟାରେ ଛାତ୍ରୀଛାତ୍ର ୟୁନିଭର୍ସିଟିର ଝରକା କାଚ, ମାଟି ଫୁଲକୁଣ୍ଡ ଭାଙ୍ଗିବା ସହ ପୋଡ଼ାଜଳା କରୁଥିବା ଦେଖାଯାଇଛି। ଆମେ ନ୍ୟାୟ ଚାହୁଁ ବୋଲି ସେମାନେ ସ୍ଲୋଗାନ ଦେଉଥିବା ଶୁଣାଯାଇଛି। ଏପରିକି ମୁହଁରେ ରୁମାଲ ବାନ୍ଧିଥିବା କେତେଜଣ ବିକ୍ଷୋଭକାରୀ ୟୁନିଭର୍ସିଟି ମଲ୍ରେ ଥିବା ଦୋକାନ ଓ ଅନ୍ୟ ସମ୍ପତ୍ତି ଭଙ୍ଗାରୁଜା କରିଥିଲେ ଓ କେତେଜଣ ତେଜରାତି ଦୋକାନରୁ ଜିନିଷ ନେଇଯାଉଥିବା ଦେଖାଯାଇଛି। କ୍ୟାମ୍ପସ୍ ପରିସରରେ ଥିବା ଏକ ଏଟିଏମ୍ କିଓସ୍କ ଏବଂ କେତେକ ଗାଡ଼ିକୁ ବିକ୍ଷୋଭକାରୀମାନେ ଭଙ୍ଗାରୁଜା କରିଛନ୍ତି।
ଜାତୀୟ ରାଜପଥକୁ ଛାତ୍ରୀଛାତ୍ର ଅବରୋଧ କରିବାରୁ ଗାଡ଼ିଗୁଡ଼ିକୁ ଫଗଓ୍ବାରା-ଜନ୍ଦିଆଲା ରୋଡ଼ରେ ଛଡ଼ାଯାଇଥିଲା। ରାସ୍ତାରେ ଗାଡ଼ିଗୁଡ଼ିକ ଦୀର୍ଘ ସମୟ ଅଟକି ରହିବା ସହ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ରବିବାର ଅପରାହ୍ନ ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିଥିଲା।
ଅଭିଯୋଗ ଅନୁଯାୟୀ, ୟୁନିଭର୍ସିଟି ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀଙ୍କୁ ୩ ଦିନ ପୂର୍ବରୁ ଜଣେ ପାଣି ମିସ୍ତ୍ରୀ ବଳାତ୍କାର କରିଥିଲେ। ଏନେଇ ହଷ୍ଟେଲ ଓ୍ବାଡେନ୍ଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଇ ନ ଥିଲେ। ଭଙ୍ଗାରୁଜା ପରେ ୟୁନିଭର୍ସିଟି କ୍ୟାମ୍ପସ୍ରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। କପୁରଥାଲା ଏସ୍ଏସ୍ପି ଗୌରବ ତୁରାଙ୍କ କହିବା ଅନୁଯାୟୀ ଶନିବାର ରାତି ୧ଟା ୪୫ ମିନିଟ୍ରେ ଛାତ୍ରୀଛାତ୍ର ଏଲ୍ପିୟୁ କ୍ୟାମ୍ପସ୍ରେ ଏକାଠି ହେବା ସହ ରାସ୍ତା ଅବରୋଧ କରିଥିବା ଖବର ମିଳିଥିଲା। ଘଟଣାସ୍ଥଳକୁ ସମସ୍ତ ରେଞ୍ଜ୍ର ଏସ୍ଏସ୍ପି ଓ ପୋଲିସ ଫୋର୍ସ ପହଞ୍ଚତ୍ଥିଲେ। ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଛାତ୍ରୀଛାତ୍ର ଆଉ କେତେକ ଦାବି ନେଇ ମଧ୍ୟାହ୍ନ ୧୨ଟାରେ ବୈଠକ କରିଥିଲେ। ସମ୍ପୂର୍ଣ୍ଣ ହଷ୍ଟେଲ କର୍ମଚାରୀ ମହିଳା ରହିବାକୁ ଛାତ୍ରୀମାନେ ଦାବି କରିଥିବାବେଳେ ପରିଚାଳନା କର୍ତ୍ତୃପକ୍ଷ ତାହା ପୂରଣ କରିବେ ବୋଲି ଡିଆଇଜି କହିଛନ୍ତି।
ସୂଚନାଯୋଗ୍ୟ, ଉକ୍ତ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ତେଲଙ୍ଗାନାର ଜଣେ ଛାତ୍ରୀ ୧୫ ଦିନ ପୂର୍ବରୁ ଆତ୍ମହତ୍ୟା କରିଥିଲେ। ତାଙ୍କ ମୋବାଇଲ ଫୋନ୍କୁ ଫୋରେନ୍ସିକ ପରୀକ୍ଷା ପାଇଁ ପଠାଯାଇଛି। ଯଦି କୌଣସି ଅସାଧୁ କାର୍ଯ୍ୟ ଘଟିଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯବ ବୋଲି ଡିଆଇଜି କହିଛନ୍ତି। ଅନ୍ୟ ପକ୍ଷରେ ଛାତ୍ରୀଙ୍କୁ ବଳାତ୍କର ଘଟଣା ସମ୍ପର୍କରେ ଜାଣି ନ ଥବା ଏଲ୍ପିୟୁ କୁଳପତି ଯଶପାଲ ସିଂ କହିଛନ୍ତି।