ନୂଆଦିଲ୍ଲୀ,୪।୮: ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହଠାତ୍ ୧୦୦ କୋଟି ଟଙ୍କା ଆସିଯାଏ, ତେବେ ବୋଧହୁଏ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ପଶ୍ଚିମବଙ୍ଗର ଜଣେ ମହିଳାଙ୍କ ସହ ଠିକ୍ ଏଭଳି ଘଟଣା ଘଟିଛି। ସେ କେବଳ LPG ସିଲିଣ୍ଡର ସବସିଡି ତାଙ୍କ ବ୍ୟାଙ୍କ ଖାତାକୁ ଆସିଛି କି ନାହିଁ ଦେଖିବା ପାଇଁ ବ୍ୟାଙ୍କକୁ ଯାଇଥିଲେ। କିନ୍ତୁ ଖାତାର ବାଲାନ୍ସ ଦେଖି ସେ ସମ୍ପୂର୍ଣ୍ଣ ଚକିତ ହୋଇଯାଇଥିଲେ।
ରିପୋର୍ଟ ଅନୁସାରେ, ଦକ୍ଷିଣ ୨୪ ପରଗଣା ଜିଲାର ୩୬ ବର୍ଷୀୟା କାଶ୍ମୀରା ଶେଖଙ୍କ ବ୍ୟାଙ୍କ ଆକାଉଣ୍ଟରେ ହଠାତ୍ ୯୯,୯୯,୯୯,୯୯୭ ଟଙ୍କା ଦେଖାଯାଇଥିଲା। ଅର୍ଥାତ୍ ତାଙ୍କ ଖାତାରେ ୧୦୦ କୋଟି ଟଙ୍କାଠାରୁ ମାତ୍ର ୩ ଟଙ୍କା କମ ଥିଲା।
କାଶ୍ମୀରାଙ୍କ ପରିବାର ଅତ୍ୟନ୍ତ ସାଧାରଣ। ସେ ଜରି କଢ଼ା କାମ କରୁଥିବା ବେଳେ ତାଙ୍କ ସ୍ବାମୀ ବ୍ୟାଗ ସିଲେଇ କରି ପରିବାର ଚଳାନ୍ତି। ପରିବାର ଆଜବେଷ୍ଟସ ଛାତ ଥିବା ଏକ ଛୋଟ ଘରେ ରହନ୍ତି। ଏଭଳି ସ୍ଥିତିରେ ବ୍ୟାଙ୍କ ଖାତାରେ ଏତେ ବଡ଼ ରାଶି ଦେଖି ସମଗ୍ର ପରିବାର ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ।
ତେବେ ଏହି ଅର୍ଥରାଶି ସେମାନଙ୍କ ପାଇଁ ଖୁସି ନୁହେଁ, ବରଂ ସମସ୍ୟାର କାରଣ ପାଲଟିଛି। ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଆରମ୍ଭ କରି ବ୍ୟାଙ୍କ କାଶ୍ମୀରାଙ୍କ ଖାତାକୁ ଫ୍ରିଜ କରିଦେଇଛି। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ସେ ନିଜ ଖାତାରୁ ଟଙ୍କା ଉଠାଇପାରିବେ ନାହିଁ କିମ୍ବା କୌଣସି ପ୍ରକାର ଆର୍ଥିକ କାରବାର କରିପାରିବେ ନାହିଁ।
ପଶ୍ଚିମବଙ୍ଗରେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ କୋଲକାତାର ବେଲିଆଘାଟା ଅଞ୍ଚଳରେ କ୍ଲାଉଡ କିଚେନ ଚଳାଉଥିବା ନୂପୁର ଗୁପ୍ତାଙ୍କ ବ୍ୟାଙ୍କ ଖାତାରେ ମଧ୍ୟ ହଠାତ୍ ୪୭ କୋଟି ଟଙ୍କା ଜମା ହୋଇଥିବା ଦେଖାଯାଇଥିଲା। ସେ ତୁରନ୍ତ ଏନେଇ ବ୍ୟାଙ୍କକୁ ସୂଚନା ଦେଇଥିଲେ। ଏହାପରେ ପୋଲିସ, ବ୍ୟାଙ୍କ ଏବଂ ଆୟକର ବିଭାଗ ମିଳିତ ଭାବେ ଘଟଣାର ତଦନ୍ତ ଆରମ୍ଭ କରିଥିଲେ।