ନୂଆଦିଲ୍ଲୀ,୨୮।୧୦: ଯଦି ଆପଣଙ୍କ ଘରେ ଏଲପିଜି (LPG) ସିଲିଣ୍ଡର ବ୍ୟବହାର ହୁଏ କିମ୍ୱା ଆପଣଙ୍କ ପାଖରେ ପିଏନଜି (PNG) ର ସଂଯୋଗ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ କାମର ଅଟେ। ୧ ନଭେମ୍ୱର ୨୦୨୬ ଠାରୁ ଏଲପିଜି ସିଲିଣ୍ଡରର ଦର, ବୁକିଂ, ଡେଲିଭରି ଭେରିଫିକେସନ ଏବଂ ଆଧାର ଇ-କେୱାଇସି (Aadhaar e-KYC) ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ କାର୍ଯ୍ୟକାରୀ ରହିବ। ତେଲ ମାର୍କେଟିଂ କମ୍ପାନୀଗୁଡ଼ିକ (OMCs) ପ୍ରତି ମାସର ୧ ତାରିଖରେ ରୋଷେଇ ଗ୍ୟାସ ଏବଂ ବାଣିଜ୍ୟିକ ସିଲିଣ୍ଡରର ସମୀକ୍ଷା କରିଥାନ୍ତି। ଜାଣନ୍ତୁ ୧ ନଭେମ୍ୱରରୁ କେଉଁସବୁ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି ଏବଂ ଗ୍ରାହକମାନଙ୍କୁ କେଉଁସବୁ କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିବ।
ପ୍ରତି ମାସର ପ୍ରଥମ ତାରିଖରେ ସରକାରୀ ତେଲ କମ୍ପାନୀଗୁଡ଼ିକ ବାଣିଜ୍ୟିକ ଏବଂ ପାର୍ୱାରିକ (ଘରୋଇ) ଗ୍ୟାସ ସିଲିଣ୍ଡରର ଦର ସମୀକ୍ଷା କରିଥାନ୍ତି। ଆନ୍ତର୍ଜାତୀୟ ବଜାରରେ କଞ୍ଚା ତେଲର ଦରକୁ ଆଧାର କରି ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲପିଜି ସିଲିଣ୍ଡରର ଦର ପ୍ରତି ମାସରେ ପରିବର୍ତ୍ତିତ ହୋଇଥାଏ। ଏହାର ସିଧାସଳଖ ପ୍ରଭାବ ହୋଟେଲ, ଧାବା ଏବଂ ରେଷ୍ଟୁରାଣ୍ଟର ବଜେଟ ଉପରେ ପଡ଼ିଥାଏ। ଘରୋଇ ସିଲିଣ୍ଡରର ଦର ମଧ୍ୟ ସମୀକ୍ଷା କରାଯିବ, କିନ୍ତୁ ଘରୋଇ ସିଲିଣ୍ଡରର ଦର ପ୍ରତି ମାସରେ ବଦଳିବ, ଏହା ଜରୁରୀ ନୁହେଁ।
ଯଦି ଆପଣ ସରକାରଙ୍କ ପକ୍ଷରୁ ମିଳୁଥିବା ଏଲପିଜି ସବସିଡି (LPG Subsidy) ର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ବାୟୋମେଟ୍ରିକ ଆଧାର ଭେରିଫିକେସନ (Aadhaar e-KYC) ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ଇ-କେୱାଇସି ପୂରା କରିସାରିଛନ୍ତି, ସେମାନଙ୍କୁ ପୁନର୍ୱାର କରାଇବାର ଆବଶ୍ୟକତା ନାହିଁ। ଇଣ୍ଡିଆନ ଅଏଲ (Indane) ର ଗ୍ରାହକମାନେ IndianOil ONE ଆପ, ଭାରତ ଗ୍ୟାସ (Bharatgas) ର ଗ୍ରାହକମାନେ HelloBPCL ଆପ ଏବଂ ଏଚପି ଗ୍ୟାସ (HP Gas) ର ଗ୍ରାହକମାନେ HP PAY ଆପ ଜରିଆରେ e-KYC କରିପାରିବେ। ଏହାବ୍ୟତୀତ ଆପଣ ନିଜର ଗ୍ୟାସ ଏଜେନ୍ସିକୁ ଯାଇ କିମ୍ୱା ଡେଲିଭରି ବୟଙ୍କ ଜରିଆରେ ମଧ୍ୟ ଏହାକୁ ପୂରା କରାଇ ପାରିବେ।
ଚାଲିଥିବା ନିୟମ ଅନୁଯାୟୀ, ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଉଭୟକ୍ଷେତ୍ରର ଉପଭୋକ୍ତାମାନେ ଗୋଟିଏ ସିଲିଣ୍ଡର ରିଫିଲ କରାଇବାର ୨୫ ଦିନ ପରେ ହିଁ ଅନ୍ୟ ଏକ ସିଲିଣ୍ଡର ବୁକ କରିପାରିବେ। ବୁକିଂ କରାଇବା ପୂର୍ୱରୁ ନିଜର ଏଲିଜିବିଲିଟି (ଯୋଗ୍ୟତା) ନିଶ୍ଚୟ ଯାଞ୍ଚ କରିନିଅନ୍ତୁ। ସିଲିଣ୍ଡର ଡେଲିଭରି ସମୟରେ ସୁରକ୍ଷା ଏବଂ ସଠିକ ଉପଭୋକ୍ତାଙ୍କ ପରିଚୟ ପାଇଁ ଡିଏସସି (DAC / Delivery Authentication Code) ଓଟିପି (OTP) ଦେବା ଜରୁରୀ ଅଟେ। ସିଲିଣ୍ଡର ଆପଣଙ୍କ ଘରେ ପହଞ୍ଚିବା ପରେ, ଆପଣଙ୍କ ପଞ୍ଜୀକୃତ ମୋବାଇଲ ନମ୍ୱରକୁ ଆସିଥିବା ଓଟିପିକୁ ଡେଲିଭରି ବୟଙ୍କୁ ଜଣାଇବାକୁ ପଡ଼ିବ।