ନୂଆଦିଲ୍ଲୀ,୭।୬: ଘରୋଇ ଏଲପିଜି (LPG) ମୂଲ୍ୟରେ ପରିବର୍ତ୍ତନ କରାଯାଇଛି ଏବଂ ନୂଆ ଦର ରବିବାର, ୭ ଜୁନରୁ ଲାଗୁ ହୋଇଯାଇଛି। ସିଲିଣ୍ଡର ପିଛା ୨୯ ଟଙ୍କାର ସାମ୍ପ୍ରତିକ ବୃଦ୍ଧି ପରେ ଘରୋଇ ରୋଷେଇ ଗ୍ୟାସ ଏବେ ଆହୁରି ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ଦ୍ୱାରା ଗତ ମାର୍ଚ୍ଚ ୭ ତାରିଖରେ ଏଲପିଜି ମୂଲ୍ୟରେ ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି କରାଯିବାର ପ୍ରାୟ ତିନି ମାସ ପରେ ଏହି ମୂଲ୍ୟ ବୃଦ୍ଧି ଘଟିଛି।
ଏହି ସଦ୍ୟତମ ପରିବର୍ତ୍ତନ ପରେ, ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ଏବେ ଦିଲ୍ଲୀରେ ୯୪୨ ଟଙ୍କା, ମୁମ୍ୱାଇରେ ୯୪୧.୫୦ ଟଙ୍କା, ହାଇଦ୍ରାବାଦରେ ୯୯୫ ଟଙ୍କା ଏବଂ କୋଲକାତାରେ ୯୬୮ ଟଙ୍କା ହୋଇଯାଇଛି। କେବଳ ବେଙ୍ଗାଲୁରୁରେ ଘରୋଇ ଏଲପିଜି ମୂଲ୍ୟ ସିଲିଣ୍ଡର ପିଛା ୯୧୫.୫୦ ଟଙ୍କାରେ ଅପରିବର୍ତ୍ତିତ ରହିଛି। ମୂଲ୍ୟରେ ହୋଇଥିବା ଏହି ବୃଦ୍ଧି ସହିତ ଏବେ ମନରେ ଏହି ପ୍ରଶ୍ନ ଆସିବା ସୱାଭାବିକ ଯେ ସରକାର ସବସିଡିକୁ ନେଇ ନିୟମରେ କୌଣସି ପରିବର୍ତ୍ତନ କରିଛନ୍ତି କି ନାହିଁ? ଆସନ୍ତୁ ଜାଣିବା।
ଆଜି ଘରୋଇ ସିଲିଣ୍ଡର ଦାମ ୨୯ ଟଙ୍କା ବଢ଼ିବା ପରେ ମଧ୍ୟ ସରକାରଙ୍କ ତରଫରୁ ଦିଆଯାଉଥିବା ସବସିଡି ରାଶି (Subsidy Amount)ରେ କୌଣସି ବୃଦ୍ଧି କରାଯାଇ ନାହିଁ। ସରକାର ଏହି ବର୍ଦ୍ଧିତ ମୂଲ୍ୟର ସମ୍ପୂର୍ଣ୍ଣ ବୋଝ ବଜାର ଦର ଉପରେ ପକାଇ ଦେଇଛନ୍ତି, ଯାହାଦ୍ୱାରା ସବସିଡିର ପୁରୁଣା ଢାଞ୍ଚା ହିଁ ଲାଗୁ ରହିବ। ବିଭିନ୍ନ ବର୍ଗର ଗ୍ରାହକମାନଙ୍କୁ ମିଳୁଥିବା ସବସିଡି ଉପରେ ଆସନ୍ତୁ ଏକ ନଜର ପକାଇବା:-
ଉଜ୍ଜ୍ୱଳା ଯୋଜନା ଅଧୀନରେ ଆସୁଥିବା ପରିବାରଗୁଡ଼ିକୁ ପୂର୍ୱଭଳି ହିଁ ଆଶ୍ୱସ୍ତି ମିଳିବା ଜାରି ରହିବ। ଏହା ଅଧୀନରେ, ସିଲିଣ୍ଡର ପିଛା ୩୦୦ ଟଙ୍କା ସିଧାସଳଖ ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ। ଦିଲ୍ଲୀରେ ଘରୋଇ ସିଲିଣ୍ଡରର ମୂଲ୍ୟ ଏବେ ୯୪୨.୦୦ ଟଙ୍କା ହୋଇସାରିଛି, କିନ୍ତୁ ୩୦୦ ଟଙ୍କାର ସବସିଡି ପରେ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଏହା ୬୪୨.00 ଟଙ୍କାରେ ପଡ଼ିବ। ଏହି ସବସିଡି ଗୋଟିଏ ଆର୍ଥିକ ବର୍ଷରେ କେବଳ ୧୨ଟି ସିଲିଣ୍ଡର ପର୍ଯ୍ୟନ୍ତ ହିଁ ମାନ୍ୟ ଅଟେ।
ଯଦି ଆପଣ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ନୁହନ୍ତି ଏବଂ ସାଧାରଣ କନେକ୍ସନ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପକେଟ ଉପରେ ବୋଝ ବଢ଼ିଯାଇଛି। ସାଧାରଣ ଗ୍ରାହକଙ୍କୁ ମିଳୁଥିବା ଏହି ସବସିଡି ଅତ୍ୟନ୍ତ ସୀମିତ। ଅନେକ ସହରରେ ଏହା ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ, କିଛି ସହରରେ ସ୍ଥାନୀୟ ମାଲଭଡ଼ା (Freight Subsidy) ବାବଦକୁ କେବଳ ୧୨ ରୁ ୪୦ ଟଙ୍କା ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟକୁ ଆସିଥାଏ।
ଯଦି ଆପଣଙ୍କ ଆକାଉଣ୍ଟକୁ ସବସିଡି ଆସୁନାହିଁ, ତେବେ ଏହାର ଦୁଇଟି କାରଣ ହୋଇପାରେ:-୧୦ ଲକ୍ଷ ଟଙ୍କାର ନିୟମ: ଯଦି ଆପଣଙ୍କର କିମ୍ୱା ଆପଣଙ୍କ ଜୀବନସାଥୀଙ୍କ (ସୱାମୀ/ସ୍ତ୍ରୀ) ବାର୍ଷିକ କରଯୋଗ୍ୟ ଆୟ (Taxable Income) ୧୦ ଲକ୍ଷ ଟଙ୍କା କିମ୍ୱା ତା’ଠାରୁ ଅଧିକ, ତେବେ ନିୟମ ଅନୁଯାୟୀ ଆପଣଙ୍କୁ ଏଲପିଜି ସବସିଡିର ଲାଭ ମିଳିବ ନାହିଁ।
ଇ-କେୱାଇସି (e-KYC): ତେଲ କମ୍ପାନୀଗୁଡ଼ିକର ନୂଆ ନିୟମ ଅନୁଯାୟୀ, ଯେଉଁମାନେ ନିଜ ଗ୍ୟାସ ଏଜେନ୍ସିକୁ ଯାଇ e-KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରିନାହାନ୍ତି, ସେମାନଙ୍କ ସବସିଡି ସାମୟିକ ଭାବେ ସ୍ଥଗିତ ବା ରୋକି ଦିଆଯିବ।